ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦରମହକୁମା ପଞ୍ଚାୟତର ବଡପଡାରେ ସପ୍ତାହେ ହେବ ପାଇପ୍ ଯୋଗେ ପାଣି ଯୋଗାଣ ବନ୍ଦ ହେବା ଯୋଗୁଁ ପଡ଼ାରେ ପାନୀୟ ଜଳ ସଂକଟ ଦେଖାଦେଇଛି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଏହାର ପ୍ରତିବାଦରେ ଆଜି ସକାଳୁ ୨୬ ନମ୍ବର ଜାତୀୟ ରାଜପଥର କୋକସରା ବଡପଡା ଠାରେ ମହିଳାମାନେ ଅବରୋଧ କରିଥିଲେ। ଦୀର୍ଘ ସମୟଧରି ରାସ୍ତା ଅବରୋଧ ହେବାପରେ କଳାହାଣ୍ଡି-ନବରଙ୍ଗପୁର ମଧ୍ୟରେ ଯାତାୟତ ଠପ୍ ହୋଇଥିଲା। କୋକସରା ପୋଲିସ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ବୁଝାଇଥିଲେ ମଧ୍ୟ ମହିଳାମାନେ ଜିଦରେ ଅଟଳ ଥିଲେ। ପରେ ଖବର ପାଇ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ପହଞ୍ଚି ଆନ୍ଦୋଳନରତ ମହିଳା ମାନଙ୍କୁ ବୁଝାଇ ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।





