ଶିକ୍ଷକ ଡେପୁଟେସନକୁ ନେଇ କାଦୋପଦରରେ ତୀବ୍ର ଅସନ୍ତୋଷ; ସ୍କୁଲରେ ପଡ଼ିଲା ତାଲା 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ନୂଆଗୁଡା କାଦୋପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଉଥିବା ଜାଣିବାକୁ ପାଇ ସୋମବାର ସ୍କୁଲ ଗେଟ୍ ଆଗରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଅବିଭାବକ ଓ ସ୍କୁଲ ପରିଚାଳନା କମିଟି। ସୂଚନା ଅନୁସାରେ, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ତେବେ ବିଦ୍ୟାଳୟରେ ୬୬ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ସେମାନଙ୍କୁ ଶିକ୍ଷାଦାନ ପାଇଁ ୫ଜଣ ଶିକ୍ଷକ ରହିଛନ୍ତି। ଏପଟେ ବିଦ୍ୟାଳୟର ଦୁର୍ଯ୍ୟୋଧନ ଜାନୀ ନାମକ ଜଣେ ଶିକ୍ଷକଙ୍କୁ ଡୁମେରବାହାଲ ସ୍କୁଲକୁ ଶିକ୍ଷା ବିଭାଗ ପକ୍ଷରୁ ଡେପୁଟେସନରେ ପଠା ଯାଉଛି। ଏହି ଖବର ଶୁଣିବାପରେ ପରିଚାଳନା କମିଟି ଓ ଅବିଭାବକ ମାନେ ପୂର୍ବରୁ ବିଇଓଙ୍କୁ ଲିଖିତ ଭାବେ ଏକ ଅଭିଯୋଗ କରିଥିଲେ। ଏବଂ ଶିକ୍ଷକ ଦୁର୍ଯ୍ୟୋଧନ ଜାନୀଙ୍କୁ ସ୍କୁଲରେ ରହିବା ନେଇ ଦାବି କରିଥିଲେ। ତେବେ ଶିକ୍ଷକ ଦୁର୍ଯ୍ୟୋଧନ ଜାନୀଙ୍କୁ ସେଠାକୁ ଡେପୁଟେସନରେ ପଠାଇବା ଚୁଡ଼ାନ୍ତ ହୋଇଥିବା ଖବର ପୁଣି ଥରେ ଶୁଣିବାପରେ ସୋମବାର ସ୍କୁଲ ଗେଟ୍ ଆଗରେ ଅବିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ତାଲା ପକାଇ ଶିକ୍ଷକ ଶ୍ରୀଜାନୀଙ୍କୁ ସେଠାକୁ ନ ପଠାଇବା ପାଇ ପ୍ରତିବାଦ କରିଛନ୍ତି। ଯାହା ଫଳରେ ସ୍କୁଲ ଗେଟ୍ ଆଗରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ରହିଥିବାବେଳେ ଶିକ୍ଷା ଦାନ ବାଧାପ୍ରାପ୍ତ ହୋଇଛି। ଏହାପରେ ସିଆରସିସି ଜତିନ୍ଦ୍ର ମୋହନ ସାହୁ ପହଞ୍ଚି ଆନ୍ଦୋଳନ ରତ ଅବିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କୁ ଦିର୍ଘ ସମୟ ଧରି ବୁଝାଇଥିଲେ ମଧ୍ୟ ସେମାନେ ନିଜେ ଜିଦ୍ ରେ ଅଟଳ ରହିଥିଲେ। ଖବର ପାଇ କୋକସରା ନେଡାଲ ସିଆରସିସି ବୈକୁଣ୍ଠ ଜାଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଆଲୋରାଣି ହଲଦର ପହଞ୍ଚି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଳ ରହିଥିଲେ। ପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ବିଇଓଙ୍କୁ ଜଣାଇଥିଲେ। ଏହାପରେ ଆନ୍ଦୋଳନରତ ଅବିଭାବକ ମାନଙ୍କୁ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯାଇ ଆଲୋଚନା କରିବା ପାଇଁ କହିଥିଲେ। ପରେ ୱାର୍ଡ଼ ସଭ୍ୟ ମୋହନ ସୁନାନୀ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ନରେଶ ଶବର, ଉପସଭାପତି ପଦ୍ମିନୀ ନାଏକ, ସଦସ୍ୟା ତୁଲା ନାଏକ, ରଞ୍ଜିତା ଖମାରୀ, ତୁଲସା ଦାସ, ଯେମା ନାଏକ, ଦୁର୍ଗାପ୍ରସାଦ ଜାଲ, ଦୁର୍ଯ୍ୟୋଧନ ନାଏକ, ରେବତୀ ନାଏକ, ୱାର୍ଡ଼ ସଭ୍ୟା ପଙ୍କଜିନୀ ମହାରଣା ସମେତ ଅନେକ ଅବିଭାବକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ ଧରି ବିଇଓଙ୍କ ସହିତ ଆଲୋଚନା କରିଥିଲେ। ତେବେ ଶିକ୍ଷକ ଜଣକ ଡେପୁଟେସନରେ ଯାଉଛନ୍ତି, ସେଠାରେ ଶିକ୍ଷକ ନିଯୁକ୍ତ ହେଲେ ଫେରାଇ ଦିଆଯିବ ବୋଲି ବିଇଓ କହିବା ପରେ ମଧ୍ୟ ଆନ୍ଦୋଳନରତ ଅବିଭାବକ ମାନେ ନିଜ ଜିଦ୍ ରେ ଅଟଳଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇ ଫେରିଥିବା ଜଣାପଡିଛି। ଏନେଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଣି ରଶ୍ମିତା ନେତାମଙ୍କୁ ପଚାରିବାରୁ ଶିକ୍ଷକ ସମସ୍ୟା ଲାଗିରହିଛି ତେଣୁ ଡେପୁଟେସନରେ ପଠାଯାଉଛି ହେଲେ ସେମାନେ ବୁଝୁ ନାହାଁନ୍ତି, ବର୍ତ୍ତମାନ ସ୍କୁଲରୁ ତାଲା ଖୋଲା ଯାଇଛି ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.