ନିଲେଶ କୁମାର ନାଗ
ପ୍ରାଗ୍ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା କଳାହାଣ୍ଡି କଳା ସଂସ୍କୃତି, ଐତିହାସିକ ପୃଷ୍ଠଭୂମି, ପ୍ରତ୍ନତାତ୍ବିକ ବିଭବ ପରି ଧାର୍ମିକ ଦୃଷ୍ଟିକୋଣରୁ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ। ଏଠାରେ ବର୍ଷସାରା ବିଭିନ୍ନ ପର୍ବପର୍ବାଣୀ ପାଳିତ ହେଉଥିବାବେଳେ ନୂଆଖାଇ ଅନ୍ୟତମ ମୁଖ୍ୟ ପର୍ବ ଭାବେ ଅନୁଷ୍ଠିତ ହୋଇଥାଏ।
ନୂଆଖାଇ ଅନ୍ନ ତତ୍ତ୍ବକୁ ନେଇ ପରିପୃଷ୍ଟ ହୋଇଥିବା ମହାନ ଭାରତୀୟ କୃଷି ପାର୍ବଣ ଭାବେ ସ୍ଵିକୃତି ଲାଭ କରିଛି। ତେବେ କଳାହାଣ୍ଡିରେ ବିଭିନ୍ନ ଋତୁରେ ପାରମ୍ପରିକ ବିଧିବିଧାନ ଅନୁସାରେ ଆମ୍ ନୂଆ, ମହୁଲ ନୂଆ, ଡୁମେର ନୂଆ, କେନ୍ଦୁ ନୂଆ, ସେମି ନୂଆ, ଗୁରଜି ନୂଆ ଆଦି ପାଳିତ ହୋଇଥାଏ। ଜିଲ୍ଲାର ସମସ୍ତ ଗ୍ରାମରେ ଧରଣୀ ଦେବୀଙ୍କ ଆସ୍ଥାନ ରହିଛି ଓ ଦେବୀଙ୍କ ସେବକଭାବେ ଗାଁର ଗୈାନ୍ତିଆ, ଜାନୀ, ଝାକର ଓ ଗଣା ରାଜତନ୍ତ୍ର ସମୟରୁ ନିଯୁକ୍ତ ହୋଇଛନ୍ତି।
କଳାହାଣ୍ଡିର ଭୂମୀପୁତ୍ର ହେଉଛନ୍ତି ଆଦିବାସୀ କନ୍ଧ। ଏହା ପ୍ରକୃତରେ ଏକ ଆଦିବାସୀ ବହୁଳ ଅଞ୍ଚଳ। ବିଭିନ୍ନ ବର୍ଗର କନ୍ଧ, ଗଣ୍ଡ, ଶବର ପ୍ରଭୃତି ଅନେକ ଜନଜାତି ସହ ପ୍ରାଚୀନ କାଳରୁ ଡମ୍ ଓ ଗଉଡ ଆଦି ସଂପ୍ରଦାୟ ଏହି ଅଞ୍ଚଳରେ ବସବାସ କରି ଆସୁଥିଲେ। ଆଦିବାସୀ ସଂସ୍କୃତି ବିଶ୍ବର ଏକ ପ୍ରାଚୀନ ସଂସ୍କୃତି ହୋଇଥିବାବେଳେ କଳାହାଣ୍ଡିରେ ଏହିଧାରା ବେଶ୍ ଉନ୍ନତ ଥିଲା।
ଏଠାକାର ଲୋକେ କେଉଁ କେଉଁ ସ୍ମରଣାତିତ କାଳରୁ ଜଙ୍ଗଲଜାତ ଦ୍ରବ୍ଯ ମହୁଲ, ଚାହାଁର, କେନ୍ଦୁ ଆଦିସହ କାନ୍ଦୁଲ, ଗୁରଜି, ମାଣ୍ଡିଆ, ଧାନ, ଶିମ୍ବ ଆଦି କୃଷିଜାତ ଫସଲକୁ ଲୋକ ଅନୁଷ୍ଠାନ ଭାବେ ଧରଣୀ ଦେବୀଙ୍କ ଠାରେ ସମର୍ପଣ କରୁଥିଲେ। ଯାହା ଆଜି ପର୍ଯ୍ୟନ୍ତ ପରମ୍ପରା ଅନୁକ୍ରମେ ପାଳିତ ହୋଇ ଆସୁଛି।
ଏହି ବିଶେଷ ଦିନ ମାନଙ୍କରେ ଗ୍ରାମର ଗୃହକର୍ତ୍ତାମାନେ ଲୋକାଚାର ଓ କୂଳାଚାର ଭାବେ ପିଦର ପିତୃ (ଉପାସନା ସ୍ଥଳ)ରେ ପିତୃପୁରୁଷଙ୍କୁ ଏସବୁ ଦ୍ରବ୍ୟ ଲାଗି କରିଥାନ୍ତି। ଏସବୁ ପର୍ବର ପ୍ରଚ୍ଛଦପଟ୍ଟରେ ପିତୃପୁରୁଷ, ଦେବାଦେବୀ ଓ ଧରିତ୍ରୀମାତା (ଧରଣୀ ଦେବୀ)ଙ୍କ ପ୍ରତି ସମର୍ପଣର ଭାବ ଜଳଜଳ ହୋଇ ଦିଶି ଯାଇଥାଏ।
ଶିକାରଜୀବୀ ମନୁଷ୍ୟ ଯେତେବେଳେ ଚାଷବାସ ସିଖି କୃଷିଜୀବୀ ସମୁଦାୟରେ ପରିଣତ ହେଲା ସେହି ସମୟ ପରେ ପରେ ଅଦୃଶ୍ୟ ଶକ୍ତି ଓ ପିତୃପୁରୁଷଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଆରମ୍ଭ ହେଲା ମହାପାର୍ବଣ ନୂଆଖାଇ। ରୁଗି ଯୁଗି ବଲା ଓ ପନାପାଏନ ଢଳା ନୂଆଖାଇ ପୂର୍ବରୁ କଳାହାଣ୍ଡିର ଗାଁ ମାନଙ୍କରେ ପାଳିତ ହୋଇଥାଏ।
ଏହି ପରମ୍ପରା ମଣିଷକୁ ଅସୀମ ଧର୍ଯ୍ୟ ପ୍ରଦାନ କରିଥାଏ। କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାର ପ୍ରାଚୀନ ଦେବାଦେବୀମାନେ ପିତୃ ଉପାସନାର ବିବର୍ତ୍ତିତ ଋପ। ପିତୃ ଉପାସନା ପ୍ରାଚୀନ ଭାରତୀୟ ସଭ୍ୟତାର ଆଦ୍ୟ ଧାର୍ମିକ ଭାବନା। ନିଜର ଅତିପ୍ରିୟ ମଣିଷ ଓ ଜ୍ଞାତି କୁଟୁମ୍ବଙ୍କ ଦେହାନ୍ତ ପରେ ସେମାନେ ମଶାନ କୁନା ବା ପିଦରରେ ଉପାସୀତ ହୁଅନ୍ତି।
ମନଦୂଃଖରେ କିଛି କାମକଲେ ପିତୃପୁରୁଷ ଅସନ୍ତୋଷ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ବର୍ଷକ ଭିତରେ ନିଜ ପ୍ରିୟଜନର ମୃତ୍ୟୁ ହୋଇଥିଲେ ମଧ୍ୟ ଦୁଃଖକୁ ଛାତି ଭିତରେ ଚାପି ରଖି ଆନନ୍ଦ ଉଲ୍ଲାସର ସହ ନୂଆଖାଇ ଜୁଗାଡରେ ଲାଗି ଯାଇଥାନ୍ତି ଜନସାଧାରଣ। ଏହି ସମୟରେ ଜୀବନର ସବୁ ଦୁଃଖକୁ ଭୁଲିଯାଇ ମହିଳାମାନେ ଘର ଲିପାପୋଛା ସହ ସଫାସୁତୁରା କରିଥାନ୍ତି।
ଜୀବନଯାକ ଅଭାବ ଅନାଟନ ମଧ୍ୟରେ କାଳାତିପାତ କରୁଥିବା ଚାଷୀ ନୂଆଖାଇ ଆସିଲେ ନୂତନ ସମ୍ଭାବନାର ଆଶା ରଖି ଖୁସିରେ ବିଭୋର ହୋଇଯାଏ। ମରୁଡି, ବଢ଼ି ପରି ପ୍ରାକୃତିକ ବିପର୍ଯ୍ୟୟ କେତେ ଆସେ କେତେ ଯାଏ ତା’ର ହିସାବ ନଥାଏ। କିନ୍ତୁ ଏହାରି ଭିତରେବି ଚାଷୀ ନୂଆଖାଇକୁ ନିଷ୍ଠାର ସହ ପାଳନ କରେ, ମସାନକୁନାରେ ଥୋଏତ୍ ବାଢି ଦେ’ ଦେବତାଙ୍କୁ ଆବାହନ କରେ।
ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କୁ ନବାନ୍ନ ଅର୍ପଣ କରି ପରିବାର ସହ ଏକାଠି ବସି ନୂତନ ଅନ୍ନ ଭକ୍ଷଣ କରେ। ନୂଆଖାଇବାସୀ ଦିନ ମାଂସ ସହ ଟିକେ ମହୁଲୀ ପକାଇ ପାଖ ପଡୋଶୀଙ୍କ ସହ ଖୁସି ମନାଏ। ଏହି ସମୟରେ ଚାଷବାସ ସରିଯାଇଥିବାରୁ ଫସଲ ଉତ୍ପାଦନ ସମୟକୁ ଉତ୍କଣ୍ଠାର ସହ ଜଗିଥାଏ ଚାଷୀ।
ବର୍ତ୍ତମାନ ଯେପରି ପଞ୍ଚମୀ ତିଥିରେ ନୂଆଖାଇ ପାଳିତ ହେଉଛି ପୂର୍ବେ ସେମିତି କେବଳ ପଞ୍ଚମୀ ତିଥି ବୋଲି ମାନେ ନଥିଲା। ଭାଦ୍ରବ ମାସ ଥିଲା ନୂଆଖାଇର ମାସ। ଭାଦ୍ରବ ଶୁକ୍ଳ ପକ୍ଷର ଯେ କୌଣସି ତିଥି ତାହା ତୃତୀୟା, ପଞ୍ଚମୀ, ସପ୍ତମୀ କିମ୍ବା ଦଶମୀ ହେଉ ଯେବେ ସୁବିଧା ହେଲା ସେହି ତିଥିରେ ନୂଆଖାଇ ପାଳିତ ହେଉଥିଲା।
ନୂଆଖାଇ ପାଇଁ ତିଥି ନିର୍ଣ୍ଣୟରେ ଗାଁର ଗୌନ୍ତିଆ, ଜାନୀ, ଝାକର ଓ ଗଣାଙ୍କ ନିଷ୍ପତ୍ତି ଥିଲା ଶେଷ ନିଷ୍ପତ୍ତି। ଏଇଥିପାଇଁ ଆଜି ବି ନୂଆଖାଇ ପାଖାପାଖି ଗାଁର ଗୈନ୍ତିଆ, ଜାନୀ, ଝାକର କିମ୍ବା ଗଣା ଘରର କୈାଣସି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ନୂଆଖାଇକୁ ଘୁଞ୍ଚାଇ ଦିଆଯାଏ।
ଅନ୍ୟପକ୍ଷରେ ଜ୍ୟୋତିଷ ଶାସ୍ତ୍ର ସହ ଭାରତୀୟ କୃଷକ ସମାଜର ଅଭିନ୍ନ ସମ୍ପର୍କ ଥବା ଦୃଷ୍ଟିରୁ ସିଂହ ରାଶିରେ ସୂର୍ଯ୍ୟ ବଳବାନ୍ ଥିବା ଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ଗତେ ଯେ କୌଣସି ପାର୍ବଣ ତିଥି ଧାର୍ଯ୍ୟ କରି ନୂଆଖାଇ ପର୍ବ ପାଳନ କରାଯାଉଥିଲା।
ତେବେ ଗତ କିଛି ବର୍ଷ ହେଲା କଳାହାଣ୍ଡିର ଅଧିକାଂଶ ଅଞ୍ଚଳରେ ପଞ୍ଚମୀ ତିଥିରେ ନୂଆଖାଇ ପାଳିତ ହେଉଛି। ଏହା ବ୍ୟତୀତ ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା, ବାହାଦୂରପଦର ଓ ପାଲକାପଡ଼ା ଗ୍ରାମବାସୀ ଭାଦ୍ର ଶୁକ୍ଳ ପ୍ରତିପଦା ତିଥିରେ ନୂଆ ଖାଇଥାନ୍ତି। ସେହିପରି ଭବାନୀପାଟଣା ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼ ସହର, ମହୁଲ ପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର ଓ ଥୁଆମୂଲ ରାମପୁରବାସୀ ଦଶମୀ ତିଥିରେ ନୂଆ ଖାଇଥାନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି