ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦଶହରା ପାଇଁ ସହର ଚଳଚଞ୍ଚଳ ଥିବା ବେଳେ ଶୁକ୍ରବାର ସନ୍ଧ୍ୟା ସମୟରେ ବଡ଼ବଜାର ନୂଆପଡାଠାରେ ଥିବା ସରାଫ ଜ୍ୱେଲର୍ସ ମାଲିକ ବିରଞ୍ଚି ନାରାୟଣ ସରାଫଙ୍କ ଠାରୁ ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ମତେ ଶୁକ୍ରବାର ସନ୍ଧ୍ୟା ୮.୧୫ରେ ଶ୍ରୀ ସରାଫ ଦୋକାନ ବନ୍ଦ କରି ଗହଣା ସବୁ ଦୁଇଟି ବ୍ୟାଗରେ ନେଇ ନିଜ ସ୍କୁଟିରେ ଘରକୁ ଯାଉଥିବା ବେଳେ ସହରର ଘୋଡାଘାଟପଡା ସ୍ଥିତ ମହାରଣା ପଡା କାଳୀ ମଣ୍ଡପ ଛକଠାରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ସ୍କୁଟି ମଝିରେ ରଖିଥିବା ଉପର ବ୍ୟାଗ ଟିକୁ ଛଡେଇ ନେଇ ଶ୍ରୀ ସରାଫଙ୍କୁ ଗୋଇଠା ମାରି ଦେବାରୁ ସେ ସ୍କୁଟିରୁ ତଳେ ପଡି ଯାଇ ଚୋର ଚୋର ବୋଲି ଡାକ ଛାଡୁ ଥିବା ବେଳେ ଦୁର୍ବୃତ୍ତମାନେ ସେହି ସ୍ଥାନ ଛାଡି ବାଇକରେ ଫେରାର ମାରିଥିଲେ। ଶ୍ରୀ ସରାଫ ଉକ୍ତ ବ୍ୟାଗରେ ସୁନା ଗହଣା ୧୨ ରୁ ୧୩ ଲକ୍ଷ ଟଙ୍କାର ଓ ନଗଦ ୬୦ ହଜାର ଟଙ୍କା ଥିବା ନେଇ ଥାନାରେ ଅଭିଯୋଗରେ ଦର୍ଶାଇ ଥିବା ବେଳେ ସୋନପୁର ଥାନା ଅଧିକାରୀ ପଦ୍ମାସିନୀ ମେହେରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସିସି ଟିଭି ଫୁଟେଜ ଆଧାରରେ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିବା ସହ ତଦନ୍ତ ଜାରି ରହିଥିବା ଶ୍ରୀମତୀ ମେହେର ସୂଚନା ଦେଇଥିବା ବେଳେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜନ ସାଧାରଣଙ୍କୁ ମଧ୍ୟ ଗହଣା ପିନ୍ଧୁଥିଲେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି।





