ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ଘଟଣାକୁ ପୁରିଲାଣି ୧୩ବର୍ଷ, ଗିରଫ ହୋଇନାହିଁ ହତ୍ୟାକାରୀ

ରାୟଗଡା ଜିଲ୍ଳା ଆଦିବାସୀ ମହାସଂଘର ସାମ୍ବାଦିକ ସମ୍ମିଳନୀ

ଜାନୁଆରୀ ୩ ସୁଦ୍ଧା ପଦକ୍ଷେପ ନ ନେଲେ ୫ରେ ରାୟଗଡା ଜିଲ୍ଳା ବନ୍ଦ ଡାକରା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଆସନ୍ତା ଜାନୁଆରୀ ୫ତାରିଖ ଦିନ ସକାଳ ୬ରୁ ସଂଧ୍ୟା ୬ଘଂଟା ପର୍ଯ୍ୟନ୍ତ ୧୨ଘଂଟା ଧରି ରାୟଗଡା ଜିଲ୍ଳାରେ ବନ୍ଦ ପାଳନ କରାଯିବା ନିମନ୍ତେ ଆଦିବାସୀ ମହାସଂଘ ରାୟଗଡା ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଡାକରା ଦିଆଯାଇଛି। ସ୍ଥାନୀୟ ଜେଏସକୋ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ଆଦିବାସୀ ମହାସଂଘ ସଭାପତି କାଡ୍ରକା ଆପଲାସ୍ୱାମୀ, ଉପସଭାପତି ତଥା ଆବାହକ ବସନ୍ତ କୁମାର ଉଲ୍ଳାକା, ସାଧାରଣ ସଂପାଦକ ଜଗନ୍ନାଥ ମାଣ୍ଡାଙ୍ଗିଙ୍କ ସମତେ ଆଦିବାସୀ ନେତ୍ରୀ ଶ୍ରୀମତି ମଂଜୁଳା ମିଣିଆକା ଏବଂ ବହୁଜନ ସମାଜ ପାର୍ଟି ଜିଲ୍ଳା ସଭାପତି ଜିତୁ ଜାକେସିକା ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ପ୍ରଦାନ କରିଛନ୍ତି। ୨୦୧୦ମସିହା ଡିସେମ୍ବର ୧୫ତାରିଖରେ ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଓ ଆଦିବାସୀ ସମାଜ ପକ୍ଷରୁ ରାୟଗଡା ଥାନାରେ ଏତଲା ଦିଆଯାଇଥିଲା। ହତ୍ୟାକାଣ୍ଡରେ ରାୟଗଡା ବିଜୁ ଜନତା ଦଳର ବରିଷ୍ଠ ନେତା ଏନ. ଭାସ୍କର ରାଓଙ୍କ ସଂପୃକ୍ତି ରହିଥିବା ନେଇ ଆଦିବାସୀ ମହାସଂଘ ଅଭିଯୋଗ କରି ଆସୁଛି। ଭାସ୍କର ରାଓଙ୍କ ରାଜନୈତିକ କ୍ଷମତା ବଳରେ ଆଜି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇନାହିଁ ବୋଲି ମହାସଂଘ ଅଭିଯୋଗ କରିଛି। ଆଦିବାସୀ ମହାସଂଘ ନେତୃତ୍ୱରେ ବାରମ୍ବାର ସାମ୍ଭିଧାନିକ ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ସରକାରଙ୍କ ଦ୍ୱାରସ୍ଥ ହୋଇ ଦୀର୍ଘ ୧୩ବର୍ଷ ବିତିଗଲାଣି। ଯଦି ସରକାର ଆସନ୍ତା ଜାନୁଆରୀ ୩ତାରିଖ ସୁଦ୍ଧା କୈାଣସି ପଦକ୍ଷେପ ନେବେ ନାହିଁ ତେବେ ମହାସଂଘ ପକ୍ଷରୁ ଜାନୁଆରୀ ୫ତାରିଖରେ ରାୟଗଡାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ଏବଂ ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାର ଏବଂ ଆଦିବାସୀଙ୍କ ନ୍ୟାୟ ପାଇ ଓ ସାଧାରଣ ଜନତାଙ୍କ ନ୍ୟାୟ ପାଇଁ ରାୟଗଡା ଆଦିବାସୀ ମହାସଂଘ ଲଢେଇ କରିବୁ ବୋଲି ଆବାହକ ଶ୍ରୀ ଉଲ୍ଳାକ ପ୍ରକାଶ କରିଛନ୍ତି। ସେହିପରି ଜିଲ୍ଳାରେ ଭାଗିରଥୀ ମାଣ୍ଡାଙ୍ଗି ଭଳି ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କ ମଧ୍ୟ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିବାରେ ପୋଲିସ ବିଫଳ ହୋଇଥିବା ବେଳେ ଚଳିତ ମାସ ଡିସେମ୍ବର ୨୧ତାରିଖରେ ଚନ୍ଦ୍ରପୁରରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଆଜକୁ ଦଶଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରି ପାରୁନାହିଁ। ଫଳରେ ପୀଡିତ ପରିବାରମାନଙ୍କୁ ନ୍ୟାୟ ମିଳୁନାହିଁ ତେଣୁ ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯିବ ବୋଲି କାଡ୍ରକା ଆପଲାସ୍ୱାମୀ ପ୍ରକାଶ କରିଛନ୍ତି। ଆଦିବାସୀ ମାଟିରେ ଆଦିବାସୀ ଯୁବତୀ ତଥା ସଂପ୍ରଦାୟର ଯୁବକଯୁବତୀଙ୍କୁ ହତ୍ୟା କରାଯାଉଛି। ହତ୍ୟାକାରୀକୁ ଗିରଫ କରିବାରେ ପୋଲିସ ବିଫଳ ହେଉଛି। ତେଣୁ ଆଦିବାସୀ ମହାସଂଘର ଏହି ପ୍ରତିବାଦ ଲଢେଇରେ ରାୟଗଡା ଜନ ସାଧାରଣ, ବ୍ୟବସାୟୀ ସଂଘ ଓ ସରକାରୀ ତଥା ବେସରକାରୀ, ଅନୁଷ୍ଠାନ, ବିଦ୍ୟାଳୟ, ଅନ୍ୟାନ୍ୟ ସମସ୍ତ ସଂଘ ବନ୍ଦ ପାଳନକୁ ସହଯୋଗ କରି ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ମହାଂସଘ ନିବେଦନ କରୁଛି ବୋଲି ଆଦିବାସୀ ନେତ୍ରୀ ଶ୍ରୀମତି ମଂଜୁଳା ମିଣିଆକା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.