ଗ୍ରାମ୍ୟ ଜନଜୀବନର ଅନନ୍ୟ ମହାପର୍ବ ‘ପୁଷପୁନି’

✍🏼ସୁଶୀଲ କୁମାର ବାଗ

ବର୍ଷକ ବାରମାସ। ବାରମାସରେ ତେରପର୍ବ। ସେଇ ତେରପର୍ବ ମଧ୍ୟରେ ଗ୍ରାମ୍ୟ ଜନଜୀବନର ଏକ ଅନନ୍ୟ ମହାପର୍ବ ହେଉଛି ପୁଷପୁନି। ପୌଷମାସର ପୂର୍ଣ୍ଣିମା ବା ପୁଷପୁନିକୁ ନେଇ ସମଗ୍ର ଓଡିଶାରେ ଏକ ଭିନ୍ନ ବାତାବରଣ ଦେଖାଦେଇଥାଏ। ବିଶେଷତଃ, ଦାସତ୍ୱପ୍ରଥାର ମୁକ୍ତି ସ୍ୱରୂପ ଏହି ପର୍ବ ପାଳିତ ହେଉଥିବାବେଳେ ଗାଁ ଗାଁରେ ହଳିଆ, ମଜୁରିଆ, ଗାଈ ଚରାଳୀ ରହୁଥିବା ବ୍ୟକ୍ତିମାନେ ମାଲିକ, ସାହୁକାର, ଗୌନ୍ତିଆମାନଙ୍କଠାରୁ ଏହିଦିନ ମୁକ୍ତି ଲାଭ କରିଥାନ୍ତି। ପ୍ରକୃତ ଅର୍ଥରେ କହିବାକୁ ଗଲେ ଏହି ଦିନ ମାଲିକ ସହିତ ସେମାନଙ୍କ ବାର୍ଷିକ ଚୁକ୍ତିର ଅନ୍ତ ଘଟିଥାଏ। ତେଣୁ ତ ସକାଳୁ ସକାଳୁ ମହାଆନନ୍ଦରେ ଗାଁର ପ୍ରତିଟି ଘରୁ ଧାନଚାଉଳ ଓ ପଇସା ସଂଗ୍ରହ କରି ଭୋଜିଭାତ ଓ ମଦମାଂସର ଆସର ଜମିଥାଏ। ତେବେ ହଳିଆ(ଘରୋଇ ଚାକର, ଚାଷଜମି ସହଯୋଗୀ)ମାନେ ମୁକ୍ତିର ଆନନ୍ଦରେ ଆତ୍ମହରା ହୋଇ ଗାଇଉଠନ୍ତି। ତାର ତାଳେତାଳେ ପିଲାଛୁଆମାନେ ମଧ୍ୟ ଗାଁଦାଣ୍ଡରେ କେନ୍ଦୁବାଡି ବଜାଇ ଗାଆନ୍ତି-
ଛେ… ଛେରଛେରା

ଇ ଘର ବୁଢୀ କାଇଁ ଗୁଲି

ଲିଆ ଖାଇ ଖାଇ ଛେରେଇ ହେଲି

ବନ୍ଦ୍ ତଲର୍ କଲା ଜିଆଁ

ଧାନ୍ ନାଇଁ ଦିଆଁ, ଚଉଲ୍ ଦିଆଁ

ଦେତେଁ ଦେତେଁ ବଲଚେ 

ହାଣି ଢୁନ୍ ଢୁନ୍ କରଚେ

ଖାଏବାକେ ଥତ୍‌ନା ମଲ୍‌ମଲ୍‌ଚେ 

ବାଡି ଠାଟାହାରେ ପିଲେ ଆଗେପଛେ 

ଦଲ୍‌ଲା ମୁଗ୍ ଭାଜ୍‌ଲା ବିରି 

ଛେରଛେରା ଦିଆଁ ଯତନ କରି

ଆଏଜ ପୁନି ପୁନି କାଲ୍ କେ ପୁନି

ଛିଡ଼ାପଟା ଦୁନାଦୁନି।।

ବିଶେଷତଃ ହଜାର ହଜାର ବର୍ଷ ଧରି କଳା ଓ ସଂସ୍କୃତି ପ୍ରିୟ ଡମ୍ ଜାତିର କିଛି ଲୋକେ ପରିସ୍ଥିତିର ତାଡନାରେ ହଳିଆ (ମାସ୍‌ରି-ମାସିକିଆ ପାଉଣା ନେବା, ବରଷକିଆ-ବର୍ଷକୁ ଥରେ ପାଉଣା) ରହିବା ସହିତ ଗାଁର ଗୋରୁ ଜଗିବା କାମ କରୁଥିଲେ। ପୁଷପୁନି ହିଁ ହିସାବ ଭାବରେ ବର୍ଷ ଶେଷ ବୋଲି ଧରିନିଆଯାଉଥିଲା। ତେଣୁ ପୁଷପୁନି ପରବ ଉପଲକ୍ଷେ ଡମ୍ ଭାଷାର ଏଇ ଗୀତ ସବୁରି ମୁହଁରେ ଅତ୍ୟନ୍ତ ପ୍ରିୟ ଭାବେ ପୁଷପୁନି ଦିନ ବୋଲାଯାଇଥାଏ। ବିଭିନ୍ନ ସମୟରେ ଭିନ୍ନଭିନ୍ନ କାଳଖଣ୍ଡରେ ଗଉଡ, କନ୍ଧ ତଥା ଅନ୍ୟ ଜାତି ଓ ଜନଜାତିର ଲୋକେ ମଧ୍ୟ ଗରିବୀର ତାଡନାରେ ହଳିଆ, ଗାଈଚରାଳୀ କାମ କରିବା ସମୟରେ ସମ୍ଭବତଃ ଏଇ ଛେରଛେରା ଗୀତରେ ନିଜସ୍ୱ ବୋଲି ବା ଭାଷାକୁ ମିଶାଇ ଗାଇବା ଆରମ୍ଭ କରିଥିଲେ। ଏହିକ୍ରମରେ ବିଶିଷ୍ଟ ଲୋକକବି ଓ ଗବେଷକ ନରେଶ କୁମାର ନାଏକ ଅନେକ ପୁରୁଣା ଗୀତ ସଂଗ୍ରହ ସମୟରେ ଡମ୍ ଭାଷାରେ ଛେରଛେରା ଗୀତ ସଂଗ୍ରହ କରିବା ତଥା ନିଜେ ଲେଖିବା ସହିତ ଏହାକୁ ଲୋକପ୍ରିୟ କରାଇବା ଦିଗରେ ପ୍ରୟାସ ଚଳାଇଛନ୍ତି । ଲୋକକବି ଶ୍ରୀ ନାଏକଙ୍କ ଛେରଛେରା ଗୀତ ଏହିପରି-

ଛେର୍ ନନୀ ଛେର୍ ଛେରା / ମାଗା ଆସାଚେଁ ତର୍ ପାରା / ଚମକା ପଡଲେଁ ମଜୁର କଠିଁ / ଆଏଜ୍ କାଏଲ୍ ବଲା ମାରଦେସ୍ ପଟି / ରାଏସ୍ ପୁରର ଛାନଲା ମାଡା / ଖାଏଲେଁ ଜହ ଧାରତ ଝାଡା / ନାଇଁ ଲୁକାଦେସ୍ ଟାଟିର କୁନେ / ବଛର ମୁଡେ ଏଖେଇ ଦିନେ / ଛେର୍ ଛେର୍ ଛେରା।।

ଦିଆ ରଏଲେ ଆଏଜ୍ ପାଇତିସ୍ ଦିନେ / ଗଠଁଲା, ବେଟଲା ପିନ୍ଧତିସ୍ କାନେ / ଆଜିର୍ ଜୀବନ କାଲ୍ କେ ନାଇଁ / ଜଅଁରା ନେଲେ ଫିରତ୍ ନାଇଁ / ବଛର ମୁଡେ ଆଜର ଦିନେ / କେତେ ଲୁକତିସ୍ ଗୋ ଟାଟିର କନେ।।

ଛେରଛେରା ଗୀତ ସାଧାରଣତଃ ମାଗୁଣି ଗୀତ ହୋଇଥିବାବେଳେ ଉପରୋକ୍ତ ଗୀତରେ ଶୃଙ୍ଗାର, ହାସ୍ୟ ରସ ସହିତ ସାମାଜିକ ଚାଲିଚଳଣୀ ଓ ଆବେଗ ରହିଛି। ଗ୍ରାମ୍ୟ ଜୀବନରେ ଇଂରାଜୀ ନବବର୍ଷ, ଓଡିଆ ନବବର୍ଷର ସେତେ ଗୁରୁତ୍ୱ ନାହିଁ। ଓଲଟା ପୁଷପୁନିକୁ ବର୍ଷ ଶେଷ ଦିନ ବୋଲି ଗଣନା କରାଯାଏ ବୋଲି କୁହାଯାଇପାରିବ। କାରଣ ଠିକ୍ ଏଇ ସମୟ ସୁଦ୍ଧା ଚାଷୀର ଅମଳ ଶେଷ ହୋଇଯାଉଥିବାରୁ ବଡଚାଷୀ, ମାଲିକ, ଗୌନ୍ତିଆ ଏହିଦିନଠାରୁ ନିଜ ହଳିଆକୁ ମୁକ୍ତି ଦେଇଥାଏ। ନଚେତ୍ ଆଜିର ଦିନକ ପରେ ପୁଣିଥରେ ଚୁକ୍ତି ନବୀକରଣ କରାଯାଇଥାଏ। ସେହିପରି ଚାଷ ସରିଯିବା ପରେ ଚାଷଜମି ଖାଲି ପଡୁଥିବାରୁ ଗୋରୁ ଚରାଳୀମାନେ ଏହି ଦିନଠାରୁ ଗାଈଗୋରୁଙ୍କୁ ଖୋଲା ଛାଡିଦିଅନ୍ତି। ସେହିପରି ବିଶ୍ୱର କଳା, ସଂସ୍କୃତି, ନୃତ୍ୟ, ବାଦ୍ୟ, ସଙ୍ଗୀତ ଉପରେ ଏକାଧିକାର ଥିବା ଡମ୍ ଜାତିର ଲୋକ କଳାକାର, ଲୋକକବି ବା ଏଇ ମୁକ୍ତିର ସୁଯୋଗକୁ ବା କେମିତି ଅଣଦେଖା କରିପାରିବ। ପୁଷପୁନିର ଗାଥାକୁ ବଖାଣିବା ସହିତ ଛେ ଛେରଛେରା ଗୀତ ଗାଇ ନିଜର ହାଲକାପଣ ଜାହିର କରିବ ହିଁ କରିବ। ସର୍ବ ପୁରାତନ ଶାସ୍ତ୍ରୀୟ ଡମ୍ ଭାଷାର ଏହି ଲୋକଗୀତ ସହିତ ଡମ୍ ବାଜା ବଜାଇ ଗାଁ ଦାଣ୍ଡରେ ଗାଇବ, ନାଚିବ। ଯାହା ଆଧୁନିକ ଚାଲିଚଳଣୀ ସହିତ ବଦଳିବାରେ ଲାଗିଛି। ତେବେ ଏହାସତ୍ତ୍ୱେ ଛେରଛେରା, ପୁଷପୁନି ଓ ଡମ୍ ଭାଷାର ଲୋକଗୀତ ଆଜି ବଂଚି ରହିଛି। ରହିବ।

ଗୋପାଳପୁର, ମଧୁପୁର, ଲାଞ୍ଜିଗଡ, କଳାହାଣ୍ଡି
ମୋବାଇଲ୍-୬୩୭୨୪୧୯୦୨୭

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.