ବାଲେଶ୍ୱର ପାଇଁ ବାତ୍ୟା-ବିପଦ ଅକ୍ଟୋବର ମାସ

ତିନି ବର୍ଷରେ ତିନୋଟି ବାତ୍ୟାକୁ ସାମ୍ନା କରିଛି ବାଲେଶ୍ଵର

ଫନି, ଅମ୍ଫାନ ଏବଂ ୟସ୍ ରେ କ୍ଷତି ସହିଛନ୍ତି ବାଲେଶ୍ବରବାସୀ

ଏବେ ବାତ୍ୟା ପାଇଁ ୟେଲୋ ଓ୍ବାର୍ଣ୍ଣିଂରେ ବାଲେଶ୍ଵର

ଆଜିଠୁ ଅତି ପ୍ରବଳ ବର୍ଷାର ଚେତାବନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପୁଣି ସେଇ ଅକ୍ଟୋବର। ପୁଣି ସେଇ କୋକୁଆ ଭୟ। ବାତ୍ୟା ଡରଉଛି ବାଲେଶ୍ଵର ବାସୀଙ୍କୁ। କାରଣ ବିଗତ ବର୍ଷ ମାନଙ୍କରେ ତିନୋଟି ବଡ଼ ବାତ୍ୟାକୁ ସାମ୍ନା କରିଛି ବାଲେଶ୍ଵର‌। ପ୍ରତି‌ ବର୍ଷ ମେ ମାସ ନତୁବା ଅକ୍ଟୋବର ମାସରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ଭୟଭୀତ କରାଏ। ଏବେ ସେହି ଆତଙ୍କ ସୃଷ୍ଟିକାରୀ ଅକ୍ଟୋବର ମାସ। ଏ ବର୍ଷ ମଧ୍ୟ ଅକ୍ଟୋବରରେ ବାତ୍ୟା ବିପଦ ଦେଖା ଦେଇଛି। ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚିତ୍ର ସ୍ପଷ୍ଟ ହେଉଛି। ଆଇଏମଡିର ଆକଳନ ଅନୁଯାୟୀ ଆଜି ଅର୍ଥାତ୍ ୨୧ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୨ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ତାହା ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତିକରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ଠାରୁ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ରହିଛି। ଆସନ୍ତା ୨୩ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ମଧ୍ୟ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ରହିଛି। ଏହାର ପରବର୍ତ୍ତୀ ଦୁଇଦିନ ମଧ୍ୟ ବର୍ଷା ସମ୍ଭାବନା ଅଛି। ବର୍ତ୍ତମାନ ଆଇଏମଡି ତରଫରୁ କେବଳ ଡିପ୍ରେସନ୍ ଫୋରକାଷ୍ଟ ଦିଆଯାଇଛି ବୋଲି ବାଲେଶ୍ଵର ପାଣିପାଗ କାର୍ଯ୍ୟାଳୟ ମୁଖ୍ୟ ମଦନ ମୋହନ ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାତ୍ୟାପ୍ରବଣ ଜିଲ୍ଲା ହେଉଛି ବାଲେଶ୍ଵର। ବାତ୍ୟା ବେଳେ ଉତ୍ତର ଓଡ଼ିଶାର ଭଦ୍ରକ ଜିଲ୍ଳା ପରେ ବାଲେଶ୍ଵର ଅଧିକ ପ୍ରଭାବିତ ହୋଇଥାଏ। ବିଗତ ଦିନରେ ଓଡ଼ିଶା ବାତ୍ୟାର ସମ୍ମୁଖୀନ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲା ଏଥିରୁ ବାଦ୍ ପଡ଼ିନାହିଁ। ବିଗତ ତିନି ବର୍ଷ ମଧ୍ୟରେ ତିନୋଟି ବଡ଼ ବାତ୍ୟାକୁ ସାମ୍ନା କରିଛି ଏହି ଜିଲ୍ଲା। ଚଳିତବର୍ଷ ପୁଣି ଏହି ଅକ୍ଟୋବରରେ ବାତ୍ୟା ଆସିବା ନେଇ ଆଶଙ୍କା କରୁଛି ପାଣିପାଗ ବିଭାଗ। ସେଥିପାଇଁ ବାଲେଶ୍ଵର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି।‌ ଅକ୍ଟୋବର ମାସ ଆସିଲେ ବାତ୍ୟା ଡର ମାଡ଼ି ଆସେ। ୧୯୯୯ ମହାବାତ୍ୟାରୁ ନେଇ ପରବର୍ତ୍ତୀ ସମୟରେ ଫାଇଲିନ୍‌, ହୁଡ୍‌ହୁଡ୍‌ ଓ ତିତ୍‌ଲି ବାତ୍ୟାର ପ୍ରକୋପ ସହିଛି ଓଡ଼ିଶା। ଏଥର ପୁଣି ଅକ୍ଟୋବରରେ ଓଡ଼ିଶା ମୁହାଁ ଆଉ ଏକ ବାତ୍ୟା ଆସିବାର ଆଶଙ୍କା ଓଡିଶାକୁ ଡରାଉଛି। ୧୯୯୯ ମସିହା ଅକ୍ଟୋବର ୨୯ ରେ ଓଡ଼ିଶାକୁ ଆସିଥିଲା ମହାବାତ୍ୟା। ପ୍ରଭାବିତ ହୋଇଥିଲା ପୁରା ଉପକୂଳ ଓଡ଼ିଶା। ସରକାରୀ ଭାବେ ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ। ସେଇ ବର୍ଷ ଠାରୁ ଅକ୍ଟୋବର ଆସିଲେ ବାତ୍ୟା କଥା ମନେ ପଡ଼ିଯାଏ। ପରବର୍ତ୍ତୀ ସମୟରେ ୨୦୧୩ ଅକ୍ଟୋବର ୧୨ରେ ଗୋପାଳପୁର ପାଖରେ ମାଡ଼ ହୋଇଥିଲା ଅତି ଭୀଷଣ ବାତ୍ୟା ‘ଫାଇଲିନ୍‌’। ଏଥିରେ ପୁରୀ ଓ ଗଞ୍ଜାମ ପ୍ରଭାବିତ ହୋଇଥିଲା। ୨୦୧୪ ଅକ୍ଟୋବର ୧୨ ରେ ଆସିଥିଲା ବାତ୍ୟା ହୁଡହୁଡ୍। ଗଞ୍ଜାମ, ଗଜପତି ଓ କନ୍ଧମାଳ ପ୍ରଭାବିତ ହୋଇଥିଲା। ସେମିତି ୨୦୧୮ ଅକ୍ଟୋବର ୧୧ ରେ ଲ୍ୟାଣ୍ଡଫଲ୍ କରିଥିଲା ତିତଲୀ। ଏହି ବାତ୍ୟାରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା। ୨୦୧୯ ମେ ମାସରେ ଫନି ବାତ୍ୟା ଆସିଥିଲା। ପ୍ରଭାବିତ ହୋଇଥିଲା ପୁରା ଉପକୂଳ ଓଡ଼ିଶା। ୨୦୨୦ ମେ ମାସରେ ବାତ୍ୟା ଅମ୍ଫାନ୍ ଆସିଥିଲା‌। ବାଲେଶ୍ଵର ସମେତ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପ୍ରଭାବିତ ହୋଇଥିଲା। ୨୦୧୯ ରୁ ଆରମ୍ଭ ହୋଇଥିବା ବାତ୍ୟା ପ୍ରତିବର୍ଷ ଲାଗି ରହୁଛି। ପ୍ରତିବର୍ଷ ମେ ମାସ ନହେଲେ ଅକ୍ଟୋବରରେ ଏକ ବାତ୍ୟାର ବିପଦ ରହୁଛି। ଫନିରେ ବାଲେଶ୍ଵରର ୧୨ଟି ବ୍ଲକର କଚ୍ଚା ଘର ଭାଙ୍ଗିବା ସ‌ହ ଗାଈଗୋରୁଙ୍କ ମୃତ୍ୟୁ ହୋଇଥିଲା। ସେ‌ହିପରି ୨୦୨୦ରେ ୧୨ଟି ବ୍ଲକରେ କ୍ଷତି ହୋଇଥିବା ବେଳେ ୨୦୨୧ ୟସ୍ ରେ ୧୨ଟି ବ୍ଲକ ଓ ୪ଟି ପୌରାଞ୍ଚଳରେ କ୍ଷୟକ୍ଷତି ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେହିପରି ୨୦୨୨ରେ ଅକ୍ଟୋବରରେ ବାତ୍ୟା ଆଶଙ୍କା ଆସିଥିଲେ ମଧ୍ୟ ଓଡ଼ିଶା ବିପଦମୁକ୍ତ ଥିଲା। ସେହିପରି ୨୦୨୩ରେ ବାତ୍ୟା ନେଇ ଆଶଙ୍କା ଥିଲେ ମଧ୍ୟ ବଡ ଧରଣର କିଛି ହୋଇନଥିଲା। ବର୍ତ୍ତମାନ ସେଇ ଅକ୍ଟୋବର। ଯେଉଁଠି ବାତ୍ୟା ଆଶଙ୍କା କରିଛି ପାଣିପାଗ ବିଭାଗ। ଏବେ ପୁଣି ଅକ୍ଟୋବରରେ ବାତ୍ୟା ସମ୍ଭାବନା ଖବର ଉପକୂଳ ଓଡ଼ିଶାରେ ଡର ବଢ଼ାଇଲାଣି। ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ପ୍ରଶାସନ ଏ ଦିଗରେ ସଜାଗ ରହିଥିବା ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.