ଠିକାଦାର ପୋଷା ନିତି ପାଇଁ ‘ବସୁଧା’ର ଏହି ଅବସ୍ଥା

ଆକାଶ ଚୁମ୍ବି ସୁଉଚ୍ଚ ପାଣି ଟାଙ୍କି ମାଧ୍ୟମରେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ସ୍ୱପ୍ନ ଦେଖିଥିଲେ ପୂର୍ବ ସରକାର। ଏଥିପାଇଁ ପ୍ରଣୟନ ହୋଇଥିଲା ବସୁଧା ଯୋଜନା। ଯେଉଁଠି ଲୋକେ ପାଣି ଟିକକ ପାଇବା ପାଇଁ ମାଇଲ ମାଇଲ ବାଟ ଚାଲୁଥିଲେ ସେଠାରେ ଏବେ ହାତ ପାହାନ୍ତାରେ ବିଶୁଦ୍ଧ ପାନୀୟ ଜଳ। କେଉଁଠି କୂଅ ପାଣି ତ ଆଉ କେଉଁଠି ନଦୀ ପାଣିକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧମରେ ବିଶୁଦ୍ଧ କରାଯାଇ ଉନ୍ନତ ମାନର ବିଶୁଦ୍ଧ ଜଳ ଲୋକଙ୍କୁ ପହଞ୍ଚାଇଛି ଜଳ ଓ ପରିମଳ ବିଭାଗ। ଆଉ ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେଉଁସବୁ ସ୍ଥାନରେ ପ୍ରକଳ୍ପ ହୋଇଥିଲା ସେଠାରେ ଶୁଭାରମ୍ଭର କିଛି ଦିନ କିମ୍ବା କିଛି ମାସ ଠିକ୍ ଠାକ୍ ପରେ ବଡ଼ବଡ଼ ଆରମ୍ଭ ହୋଇଗଲା। ଲୋକେ ନିୟମିତ ଭାବେ ପାଣି ପାଇ ପାରିଲେ ନାହିଁ। ଏନେଇ ଜନତା ସଂପୃକ୍ତ ବିଭାଗ, ପ୍ରଶାସନ, ନିର୍ବାଚିତ ଜନପ୍ରତିନିଧି, ସରକାର ସମସ୍ତଙ୍କୁ ଅଭିଯୋଗ କଲେ। କେତେକ ସ୍ଥାନରେ ସମସ୍ୟାର ସମାଧାନ ହେଲା ତ ଆଉ କେତେକ ସ୍ଥାନରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା। ତେବେ ପ୍ରକୃତରେ ଲୋକେ ବସୁଧା ଯୋଜନା ମାଧ୍ୟମରେ କେତେ ପରିମାଣରେ ଉପକୃତ ହୋଇଛନ୍ତି ତାହା ଏବେ ସମିକ୍ଷା କରିବାର ସମୟ। ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ଦେଖିବାକୁ ମିଳେ ବସୁଧା ପାଣି ଠିକ୍ ଭାବରେ ପାଇପାରୁ ନାହାଁନ୍ତି ଲୋକେ। ତୃଟି ଉପରେ ତୃଟି। ଏହାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ। ଠିକାଦାର ପୋଷା ନିତି ପାଇଁ ବସୁଧାର ଏହି ଅବସ୍ଥା। ପୂର୍ବ ସରକାର ଅମଳରେ ଠିକାଦାର ଯେତିକି ଲାଭାନ୍ବିତ ହୋଇଛନ୍ତି ସେତିକି ବୋଧେ ଆଉ କେବେ ହୋଇ ପାରିବେ ନାହିଁ। ଠିକ୍ ସେହିପରି ପାନୀୟଜଳ ଯୋଗାଣ ବିଭାଗର ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ମଧ୍ୟ ପ୍ରତକ୍ଷ୍ୟ କିମ୍ବା ପରୋକ୍ଷ ଭାବେ ଭଲ ଉପୁରି ପାଇଛନ୍ତି। ସେହି ସମୟରେ ଅଫିସର ରାଜ୍ ଚାଲିଥିବାରୁ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ବାବୁ ସବୁ ମାଲାମାଲ ହେଉଥିଲେ। ଅନିୟମିତତା ଓ ଦୁର୍ନୀତିର ପାହାଡ଼ ଉପରେ ଛିଡ଼ା ହେଉଥିଲେ ଦୁର୍ନିତୀଗ୍ରସ୍ତ ଯନ୍ତ୍ରୀ ଓ ଠିକାଦାର, ଭାଗ ପାଇ ସମସ୍ତେ ଥଣ୍ଡା ହୋଇ ଯାଉଥିଲେ। ସମସ୍ତ ଠିକାଦାର, ଯନ୍ତ୍ରୀ, ଅଫିସର ଦୁର୍ନୀତିଗ୍ରସ୍ତ ନଥିଲେ। ଅନେକ ସଚ୍ଚୋଟ ଥିଲେ ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ କେତେକ ଯାଗାରେ ଠିକ୍ ଠାକ୍ ଚାଲିଛି ପାନୀୟଜଳ ଯୋଗାଣ ଓ ଲୋକେ ପୂର୍ବ ସରକାର ଏବଂ ବିଭାଗୀୟ ଅଧିକାରୀମାନଙ୍କ ଗୁଣଗାନ ମଧ୍ୟ କରୁଛନ୍ତି। ଯେଉଁଠି ଟାଙ୍କି ଅଛି, ପାଇପ ବିଛା ହୋଇଛି, ଠିକାଦାର ବିଲ୍ ପାଇ ସାରିଛନ୍ତି, ଘର ଦୁଆର ମୁହଁରେ ଟେପ୍ ଅଛି କିନ୍ତୁ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ସେଠାରେ ନିଶ୍ଚିତ ଭାବରେ ଅନିୟମିତତା ହୋଇଛି। ନହେଲେ ଏତେ ବ୍ୟବସ୍ଥା ପରେ ବି ପାଣି ମୁନ୍ଦାକ ପାଇଁ ଜନସାଧାରଣ ଏତେ ଡହକ ବିକଳ ହେଉନଥାନ୍ତେ। ତେଣୁ ବର୍ତ୍ତମାନର ସରକାର ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳିତ କରିବା ସହ ଯଦି ଏଥିରେ କୈାଣସି ପ୍ରକାରର ଦୁର୍ନୀତି କିମ୍ବା ଅନିୟମିତତା ହୋଇଛି ତେବେ ତାହାର ତଦନ୍ତ କରାଇବା ଜରୁରୀ। ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଯଦି ଏହା ବ୍ୟବସ୍ଥିତ ଭାବେ ହୋଇ ନପାରିଲା ତେବେ ଜନତା ବିଧି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରନ୍ତି। ଲୋକେ ଅତିଷ୍ଠ ହେଲେ ସରକାର ଗାଦିଚ୍ୟୁତ ହୋଇଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.