ମାଟି ଲଗାଇ ଉନ୍ମୋଚିତ ହେଲା ‘ଗଣପର୍ବ ନୂଆଁଖାଇ’ ବହି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗଣପର୍ବ ନୁଆଁଖାଇକୁ ନେଇ ୧୬ ଜଣ ସାହିତ୍ୟିକ ତଥା ଗବେଷକଙ୍କ ଆଲୋଚନାକୁ ନେଇ ଡ. କୌତୁକ ପନ୍ଦର ଓ ଡ. ଜଗନ୍ନାଥ ସାହୁଙ୍କ ସମ୍ପାଦନା ପୁସ୍ତକ ‘ଗଣପର୍ବ ନୂଆଁଖାଇ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ମୋହନଗିରି ଅନ୍ତର୍ଗତ ଉପର ନୂଆଁ ଗାଁରେ ଡ. କୌତୁକ ପନ୍ଦରଙ୍କ ବାସ ଭବନରେ ତାଙ୍କ ମା ଚନ୍ଦ୍ରିକା ପନ୍ଦର, ବଡ ଭାଇ ଟଙ୍କଧର ପନ୍ଦର ଓ ଡ. ଜଗନ୍ନାଥ ସାହୁ, ତାଙ୍କ ମା ବେଦମତି ସାହୁ ଓ ସାମ୍ବାଦିକ ତଥା କବି ହେମନ୍ତ ସାହୁଙ୍କ ହାତରେ ପ୍ରଥମେ ବହିଟିକୁ ମାଟିରେ ଛୁଆଁଇ, ମାଟି ମା ‘କୁ ପୂଜା କରି ଉନ୍ମୋଚିତ କରାଯାଇଥିଲା । ପୁରାଣ, ମିଥ ତଥା ଐତିହାସିକ ଦିଗରୁ ନୁଆଁଖାଇ ପର୍ବ ପାଳନ ଏବଂ ତାର ବର୍ତ୍ତମାନ ଭବିଷ୍ୟତ ସମ୍ପର୍କିତ ଆଲୋଚନା କରାଯାଇଛି । ବିଭିନ୍ନ ଦୃଷ୍ଟି କୋଣରୁ ନୂଆଁଖାଇ ସମ୍ପର୍କିତ ନୂଆ ଗବେଷଣା ବା ଆଲୋଚନା ଲେଖା ଯଦି ପାଖରେ ଥିଲେ ବା ଲେଖିବାକୁ ଚାହାନ୍ତି ତେବେ ସମ୍ପାଦକଦ୍ବୟଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଏ ଆଲୋଚନାରେ ସଂସ୍କୃତି ଗବେଷକ ପରମେଶ୍ବର ମୁଣ୍ଡ, ଅଧ୍ୟାପକ ଡୋଳାମଣୀ ଧରୁଆ, ଡ. ଶ୍ରୀକାନ୍ତ ବାରିକ, ଡ. ବିଭୂତି ରଞ୍ଜନ ପଧାନ, ପ୍ରଭାସ ତୋଲଟିଆ, ଯୋଗେନ୍ଦ୍ର ଧରୁଆ, ସୁରେନ୍ଦ୍ର ଧରୁଆ, ଖଗେଶ୍ବର ଧରୁଆ ଆଦି ଯୋଗ ଦେଇ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ମୂର୍ଧ୍ୟନ୍ୟ ଲୋକ ଗବେଷକମାନଙ୍କୁ ନେଇ ପଶ୍ଚିମାଞ୍ଚଳର ଲୋକ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଏ ସଂକଳିତ ଗବେଷଣାତ୍ମକ ପୁସ୍ତକଟି ସମୃଦ୍ଧ ହୋଇଛି । ଏହା ବହୁ ପାଠକୀୟ ଆଦୃତ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ, ଗବେଷକ, ସଂସ୍କୃତି ପ୍ରେମୀ ଓ ଉତ୍ସାହୀ ପାଠକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏ ପୁସ୍ତକ ସ୍ଵୟଂସିଦ୍ଧା ଫାଉଣ୍ଡେସନ ଭୁବନେଶ୍ୱର ଦ୍ବାରା ପ୍ରକାଶିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.