ନର୍ଲା ଓ ମ.ରାମପୁରକୁ ଏନଏସି ମାନ୍ୟତା ଘୋଷଣା ଦାବୀ

ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ନର୍ଲା ଓ ମ.ରାମପୁର ସହରକୁ ଏନଏସସି ଘୋଷଣା ଦାବୀ କରିଛି ‘ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ’। ସୋମବାର ମଞ୍ଚ ପକ୍ଷରୁ ନର୍ଲା ଓ ମ.ରାମପୁର ସହରରେ ପୃଥକ୍ ପୃଥକ୍ ଭାବେ ବିଶାଳ ଶୋଭାଯାତ୍ରା ଆୟୋଜିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ସଂଯୋଜନା ଓ ମଞ୍ଚର ସଭାପତି ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ଶତାଧିକ ଜନତା ସାମିଲ ହୋଇ ନର୍ଲା ଓ ମ.ରାମପୁରକୁ ଏନଏସସି ଘୋଷଣା ଦାବୀ ଦୋହରାଇଥିଲେ। ବିଗତ ସରକାରଙ୍କ ସମୟରେ ନର୍ଲା ଓ ମ.ରାମପୁରକୁ ଏନଏସସି ମାନ୍ୟତା ଘୋଷଣା କରାଯାଇଥିଲା। କିନ୍ତୁ କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ନୂତନ ଏନଏସି ମାନ୍ୟତା ତାଳିକାରେ ନର୍ଲା ଓ ମ.ରାମପୁରର ନାମ ନାହିଁ। ସରକାରଙ୍କ ଏହି ବୈମାତୃକ କାର୍ଯ୍ୟର ଘୋର ବିରୋଧ କରିଛି ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ। ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ସତ୍ତ୍ୱେ ମଧ୍ୟ ନର୍ଲା ଓ ମ.ରାମପୁର ଏନଏସି ତାଲିକାରୁ ବାଦ୍ ପଡିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଜନତା। ତେଣୁ ରାଜ୍ୟ ସରକାର ତୁରନ୍ତ କଳାହାଣ୍ଡିର ଏହି ଦୁଇ ସହରକୁ ଏନଏସି ମାନ୍ୟତା ଘୋଷଣା କରିବାକୁ ଦାବୀ ହୋଇଛି। ଏନେଇ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ପକ୍ଷରୁ ନର୍ଲା ଡ଼ାକବଙ୍ଗଳାରୁ ଏକ ଶୋଭାଯାତ୍ରା ବାହାରି ନର୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ସଭାପତି ରୋମାଞ୍ଚ ସାହୁ, ସାଧାରଣ ସମ୍ପାଦକ ସରୋଜ କୁମାର ରାଉତ, ଉପସଭାପତି ଚନ୍ଦ୍ରଶେଖର ପୁଝାରୀ, ପ୍ରେମସାଗର ନାଏକ, ସୁଲତାନ ନନ୍ଦ ଓ ଯଶୋବନ୍ତ ସାହୁ, କୋଷାଧ୍ୟକ୍ଷ ମହେଶ ପ୍ରସାଦ ଚାନ୍ଦ, ସହ ସମ୍ପାଦିକା ସଙ୍ଗୀତା ଭୋଇ ଓ ବିନ୍ଦୁଲତା ସାମଲଙ୍କ ସମେତ ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ନର୍ଲା ସମିତି ସଭ୍ୟ ସଂଘ ସଭାପତି ଜୟ ମେହେର, ନର୍ଲା ସରପଞ୍ଚ ତନୁଜା ହରପାଲ, ବରିଷ୍ଠ ନେତା ପର୍ଶୁରାମ ପଣ୍ଡା, ବିକାଶ ରଞ୍ଜନ ସିଂହଦେଓ, ନୀଳମଣି ସାହୁ, ପର୍ଶୁରାମ ପାଢ଼ୀ, ଅର୍ଜୁନ ପଧାନ, ନାରୀନେତ୍ରୀ ପ୍ରମିଳା ପଧାନ, ଯୁବନେତା ଗୋବିନ୍ଦ ତାଣ୍ଡି, ସୁଦର୍ଶନ ଦୋରା, ଘାସିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ମ.ରାମପୁରରେ ମଧ୍ୟ ଏନଏସି ମାନ୍ୟତା ନେଇ ମଞ୍ଚ ପକ୍ଷରୁ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ କରାଯାଇଛି। ଯଦି ୧୫ ଦିନ ଭିତରେ ରାଜ୍ୟ ସରକାର ନର୍ଲା ଓ ମ.ରାମପୁରକୁ ଏନଏସି ମାନ୍ୟତା ଘୋଷଣା ନକରନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.