ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଜାତୀୟ ଶିକ୍ଷା ନୀତି–୨୦୨୦ ସଚେତନତା ଓ ଅବଗତିକରଣ ବିଷୟରେ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି ୨୦୨୦) ଆଧାରରେ ଉଚ୍ଚଶିକ୍ଷାକୁ ନୂତନ ଆକାର ଦେବା ଲକ୍ଷ୍ୟରେ,ଫକୀର ମୋହନ ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଶିକ୍ଷା ବିଭାଗ ଓ ମାନବ ସମ୍ବଳ ବିକାଶ କେନ୍ଦ୍ରର ମିଳିତ ଉଦ୍ୟମରେ ଅଧ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ‌। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୫ ତାରିଖରେ ଉଦଯାପିତ ହୋଇଛି। କର୍ମଶାଳାରେ ନୂତନ ଶିକ୍ଷାନୀତି ବିଷୟରେ ଅଂଶଗ୍ରହଣକାରୀ ଅଧ୍ୟାପକ ଓ ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କୁ ସଚେତନ ତଥା ପ୍ରଶିକ୍ଷିତ କରାଯାଇଛି। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କହିଥିଲେ, “ନୂତନ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନକୁ ନେଇ ଅଗ୍ରସର ହେବା ପାଇଁ ଅଧ୍ୟାପକ-ଅଧ୍ୟାପିକାମାନେ ‘ପରିବର୍ତ୍ତନର ବାହକ’ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।” ଏନଇପି-୨୦୨୦ ର ଲକ୍ଷ୍ଯ, ବହୁଶାଖା ବିଶିଷ୍ଟ, ସାମଗ୍ରୀକ ଓ ସମାବେଶୀ ଶିକ୍ଷା ପଦ୍ଧତିକୁ ନିଜ ଅଭିଭାଷଣରେ ଉଦ୍ଧୃତ କରିଥିଲେ।

ମୁଖ୍ୟ ଅତିଥି ପ୍ରଫେସର ହୃଷୀକେଶ ସେନାପତି (ଶିକ୍ଷା ବିଶେଷଜ୍ଞ, ଆର.ଆଇ.ଇ-ଭୁବନେଶ୍ୱର ଓ ପୂର୍ବତନ ନିର୍ଦ୍ଦେଶକ, ଏନ.ସି.ଇ.ଆର.ଟି) ଏନଇପି- ୨୦୨୦ ଉପରେ ନିଜର ଦୃଷ୍ଟିଭଙ୍ଗୀ ପ୍ରଦାନ ସହ ଓ ଏହାର ପ୍ରାୟୋଗିକ ପରିଚାଳନା ବିଷୟରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରିଥିଲେ। ଏହି ୭-ଦିନିଆ କର୍ମଶାଳାରେ ବିଶିଷ୍ଟ ଶିକ୍ଷାବିତ୍, ବିଶେଷଜ୍ଞ ଓ ଅନୁସନ୍ଧାନୀମାନେ ଜାତୀୟ ଶିକ୍ଷା ନୀତି- ୨୦୨୦ ର ବିଭିନ୍ନ ଦିଗ ସମ୍ପର୍କରେ ଅଲୋଚନା କରିଥିଲେ। ମୁଖ୍ୟତଃ—
ବହୁଶାଖୀୟ ଓ ସମଗ୍ର ଶିକ୍ଷା: ବିଭିନ୍ନ ବିଷୟର ସମନ୍ୱୟ,
ଗୁଣତ୍ବନିର୍ଦ୍ଧାରଣ ଓ ମୂଲ୍ୟାୟନ: ଉଚ୍ଚ ଶିକ୍ଷା ସଂସ୍ଥାନ ଗୁଡ଼ିକଙ୍କୁ ଉନ୍ନତି ପାଇଁ ସୁଦୃଢ କରାଯିବା, ଗବେଷଣା ଓ ନବାନ୍ବେଷଣ: ଆଲୋଚନାମୂଳକ ଓ ପ୍ରଶ୍ନାଧାରିତ କ୍ଲାସରୁମ୍ ଗଠନ, ପରିଣାମ ମୂଲ୍ୟାୟନ ଓ ସଂପୂର୍ଣ୍ଣ ଉନ୍ନତି ପାଇଁ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ, ସମୀକ୍ଷା ଓ ଜ୍ଞାନର ବିଶ୍ଳେଷଣ : ଶିକ୍ଷାର୍ଥୀ-କେନ୍ଦ୍ରିକ ଅନୁପାଳନ ପ୍ରଣାଳୀ, ଅଧ୍ୟାପକମାନେ ପରିବର୍ତ୍ତନର ପ୍ରେରକ ଭାବେ: ଶିକ୍ଷାଗୁରୁତ୍ୱ ଓ ସ୍ୱାୟତ୍ତତା, ଭାରତୀୟ ଜ୍ଞାନ ପରମ୍ପରା (ଆଇ.କେ.ଏସ): ସମାଧାନ, ସୁଯୋଗ ଓ ବ୍ୟବସ୍ଥା, ସମଗ୍ର ପ୍ରଗତି ରିପୋର୍ଟ ଓ ପୋର୍ଟଫୋଲିଓ ମୂଲ୍ୟାଙ୍କନ: ମାର୍କ ବ୍ୟତୀତ ସମଗ୍ର ପ୍ରଗତିର ବିବରଣୀ ପ୍ରସ୍ତୁତ, ଶାସନ ଓ ପ୍ରତିଷ୍ଠାନୀୟ ସୁଧାର: ସ୍ୱାୟତ୍ତତା, ନେତୃତ୍ୱ ଓ ଦାୟିତ୍ୱ, ଡିଜିଟାଲ ପାଠ୍ୟପୁସ୍ତକ ଓ ପ୍ରଯୁକ୍ତିମୁଖୀ ଶିକ୍ଷା, ସମାବେଶୀକରଣ: ସମାନ ସୁଯୋଗ ଓ ପ୍ରାପ୍ୟତା, ନବୀନ ପାଠ୍ୟପ୍ରଣାଳୀ: କଳା-ସମ୍ମିଳିତ ଶିକ୍ଷା, ପ୍ରଶ୍ନାଧାରିତ ପାଠଦାନ ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା।ଥିମାଟିକ ଅଧିବେଶନ ସହିତ, ପ୍ରାୟୋଗିକ କର୍ମଶାଳାରେ ଅଧ୍ୟାପକ-ଅଧ୍ୟାପିକାମାନେ ଆଇ.କେ.ଏସ-ଆଧାରିତ ପାଠ୍ୟକ୍ରମ, ପ୍ରତିଷ୍ଠାନୀୟ ସୁଧାର ଯୋଜନା, ଗବେଷଣା ପ୍ରକଳ୍ପ, କଳା-ସମ୍ମିଳିତ ଶିକ୍ଷାର ମଡେଲ୍ ପ୍ରସ୍ତୁତ କରିଥିଲେ। ଏଥିପାଇଁ ଶିକ୍ଷାକ୍ଷେତ୍ରୀୟ କ୍ଷେତ୍ରସଭା ମଧ୍ୟ ଆୟୋଜିତ ହୋଇଥିଲା।

ସମାପନୀ ସଭାରେ ମୁଖ୍ଯ ଅତିଥି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସହ ସମ୍ମାନୀତ ଅତିଥି ପ୍ରଫେସର ସୁନୀଲ କୁମାର ପାଢ଼ୀ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏଥିସହ ଡକ୍ଟର ସୁଶାନ୍ତ କୁମାର ପ୍ରଧାନ (ଜିଏସସିଇଆରଟି-ଗୋଆ) ଙ୍କ ଦ୍ବାରା ଏକ ଅତିରିକ୍ତ ଅଧ୍ୟାପନା ଅଧିବେଶନ ଅନୁଷ୍ଠିତ ହୋଇଥିଲା।

କର୍ମଶାଳାର ସଦସ୍ୟମାନେ ସେମାନଙ୍କ ଅନୁଭବ ବ୍ୟାଖ୍ୟା କରିଥିଲେ ଓ ଶିକ୍ଷାର୍ଥୀ-କେନ୍ଦ୍ରିକ, ଗବେଷଣାମୂଳକ ଓ ବିଶ୍ୱମାନ ସମ୍ପର୍ଣ୍ଣ ଉଚ୍ଚଶିକ୍ଷା ପ୍ରଣାଳୀ ଗଠନ ସହ ଏନଇପି-୨୦୨୦ କୁ ନିଜ-ନିଜ ପ୍ରତିଷ୍ଠାନରେ ଲାଗୁ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ।

କାର୍ଯ୍ୟକ୍ରମର ସଂପାଦକ ଓ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଅମୁଲ୍ୟ କୁମାର ଆଚାର୍ଯ୍ୟ, ସଂଯୋଜକ ଡକ୍ଟର ପ୍ରତିମା ପ୍ରଧାନ ଓ ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ରଣୀନ୍ଦ୍ର କୁମାର ନାୟକ କହିଥିଲେ, ଏହି ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଛି ଓ କାର୍ଯ୍ୟକ୍ରମକୁ ସମୟୋପଯୋଗୀ ଓ ଦୃଷ୍ଟିଭଙ୍ଗୀମୟ ପଦକ୍ଷେପ ଭାବେ ଆୟୋଜିତ କରଯାଇଛି, ଯାହା ଫକୀରମୋହନ ବିଶ୍ବବିଦ୍ୟାଳୟକୁ ଜାତୀୟ ଶିକ୍ଷାନୀତି- ୨୦୨୦ ପ୍ରୟୋଗରେ ଓଡ଼ିଶା ଓ ଦେଶସ୍ତରରେ ଏକ ନେତୃତ୍ୱାଧୀନ ଶିକ୍ଷାନୁଷ୍ଠାନ
ଭାବରେ ପରିଗଣିତ କରିପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.