୪ ଦିନ ହେଲା କୁନିପୁଅ ସହିତ ମହିଳା ନିଖୋଜ : ଥାନାର ଦ୍ୱାରସ୍ଥ ହେଲେ ସ୍ବାମୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶୁକ୍ରବାର ବଡି଼ଭୋରରୁ ଉଠି ଦେଖିଲାବେଳକୁ ସ୍ତ୍ରୀ ଓ ୪ ବର୍ଷ ବୟସର କୁନିପୁଅ ନାହାନ୍ତି। ଚାରିଆଡେ ଖୋଜାଖୋଜି କଲାବେଳେ ଘରର ଆଲମିରା ବି ଖୋଲା ପଡ଼ିଛି। ଆଉ ସେଇଠୁ ଗାୟବ ହୋଇଯାଇଛି ସୁନା ଓ ଲକ୍ଷାଧିକ ଟଙ୍କା। ଏସବୁ ଦେଖି ସାଧାରଣ ଗାଡ଼ି ଗ୍ୟାରେଜ କରି ଗୁଜୁରାଣ ମେଣ୍ଟାଉଥିବା ହରିବନ୍ଧୁଙ୍କ ମୁଣ୍ଡ ଚକ୍କର ଖାଇଯାଏ। ବାହାରକୁ ବାହାରିଲାବେଳେ ଦେଖିବାକୁ ମିଳେ ସବୁଦିନେ ସେ ରଖୁଥିବା ଜାଗାରୁ ଗାୟବ ହୋଇଯାଇଛି ହୀରୋ ପେସନ ବାଇକ। ଆଉ ଫାଟକ ବାହାରପଟୁ ଝୁଲୁଛି ତାଲା। ଖୋଜାଖୋଜି, ପରିବାର, ବନ୍ଧୁବାନ୍ଧବଙ୍କୁ ଫୋନଫାନ କଲାପରେ ବି କିଛି ସୁଫଳ ମିଳେନି। ଶେଷରେ ନିଜର ବଡଭାଇ ସହିତ ଆଖପାଖ ଖୋଜାଖୋଜି, ବୁଝାବୁଝି କଲାବେଳକୁ ୨୫ କିମି ଦୂର ରାୟଗଡା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନରେ ମିଳେ ଘରୁ ହଜିଥିବା ହୀରୋ ପେସନ ବାଇକ। କିନ୍ତୁ କୁନିପୁଅ ଓ ତାର ମାଆର ପତ୍ତା ମିଳେନି। ସନ୍ଦେହ ବଢ଼େ। ମନକୁ ବାଧେ ପ୍ରାଣପ୍ରିୟା ସ୍ତ୍ରୀ ବିନା, ହୃଦୟ ବିଳିବିଳେଇ ଉଠେ କୁନିପୁଅଟି ପାଇଁ। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ଥାନାର ଦ୍ୱାରସ୍ତ ହୁଅନ୍ତି ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାଞ୍ଚଳରେ। ବିଶ୍ୱନାଥପୁରର ହରିବନ୍ଧୁ ବାଗଙ୍କ ସ୍ତ୍ରୀ ପଦ୍ମିନୀ ଶୁକ୍ରବାର ବଡ଼ିଭୋରରୁ ହଠାତ ନିଖୋଜ ହୋଇଯାଇଛନ୍ତି। ଖାଇପିଇ ରାତିରେ ଘରେ ଶୋଇଥିଲେ ହରିବନ୍ଧୁ, ପଦ୍ମିନୀ ଓ ତାଙ୍କର ଦୁଇପୁଅ। କିନ୍ତୁ ସକାଳୁ ଛୋଟପୁଅ ସହିତ ସ୍ତ୍ରୀ ନଥିବା ଦେଖିବାକୁ ପାଇଥିଲେ ସେ। ଖୋଜାଖୋଜି ପରେ ନପାଇବାରୁ ସେ ବିଶ୍ୱନାଥପୁର ଥାନାର ଦ୍ୱାରସ୍ତ ହୋଇଛନ୍ତି। କୁନିପୁଅ ଓ ତାଙ୍କ ସ୍ତ୍ରୀକୁ ଖୋଜି ଆଣିଦେବାକୁ ନେହୁରା ହୋଇଛନ୍ତି। ଏନେଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ପଦ୍ମିନୀ ଘରୁ ନିଖୋଜ ହେବା ସହିତ ଘର ଆଲମିରାରୁ ସୁନା ଓ ଟଙ୍କା ଗାୟବ ହେବା, ଘରେ ଥିବା ବାଇକ ମୁନିଗୁଡ଼ା ରେଳଷ୍ଟେସନରୁ ପୁଲିସ ଉଦ୍ଧାର କରିବା ଘଟଣା ଏହି ମାମଲାକୁ ଆହୁରି ଜଟିଳ କରିଦେଇଛି। ଏପରିକି ସ୍ତ୍ରୀ ଓ ତାଙ୍କ କୁନିପୁଅ ନିଖୋଜ ହେବା ପଛରେ ଅନ୍ୟ କାହାର ହାତ ଥିବା ସନ୍ଦେହ ହେଉଛି। ଏଣୁ ପୁଲିସ ପକ୍ଷରୁ ଉପଯୁକ୍ତ ତଦନ୍ତ ସହିତ ପଦ୍ମିନୀ ଓ ତାଙ୍କ କୁନିପୁଅକୁ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.