ବୁଢ଼ୀପଦରରେ ସଂପନ୍ନ ହେଲା ରୁଗୀବଲା ବିଧାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଙ୍ଗଳବାର ସକାଳୁ ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗାଁରେ ରୁଗୀବଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପରମ୍ପରା ଅନୁଯାୟୀ ନୂଆଖାଇର ଅବ୍ୟବହିତ ପୂର୍ବରୁ ଗାଁର ଗଣା ଡୁମେର ଏହି ବିଧିକୁ ସମ୍ପାଦନ କରିଛନ୍ତି। ମହାକାନ୍ତାର ସଭ୍ୟତାର ସାଂସ୍କୃତିକ ଓ ଧାର୍ମିକ ପୀଠସ୍ଥଳୀ ଦେବଗିରି-ବୁଢ଼ୀପଦରରେ ବର୍ତ୍ତମାନ ସୁଦ୍ଧା ପ୍ରାଚୀନ ପରମ୍ପରାର ଅପୂର୍ବ ଧାରା ଅକ୍ଷୁର୍ଣ୍ଣ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡିର ନୂଆଖାଇ ପ୍ରାଚୀନ କାଳରୁ ଅନୁସୃତ କେତେକ ପ୍ରଥା ଓ ପରମ୍ପରାକୁ ନେଇ ପରିପୁଷ୍ଟ ହୋଇଥାଏ। ନୂଆଖାଇର କିଛି ଦିନ ପୂର୍ବରୁ ଗ୍ରାମରେ ରୁଗୀବଲା ଅନୁଷ୍ଠିତ ହୋଇଥାଏ। ଗ୍ରାମରୁ ରୋଗ ବଇରାଗ ଦୂର କରି ସମସ୍ତେ ସୁସ୍ଥ ସବଳ ହୋଇ ନୂଆ ଖାଇବାର ମାନସିକତା ନେଇ ଆଦିମ ଆଦିବାସୀ ସମାଜ ଏହି ବିଧାନ ଆରମ୍ଭ କରିଥିଲା। ରୁଗୀବଲା ଦିନ ଗାଁର ସମସ୍ତ ପରିବାର ମହିଳାମାନେ ଖପରା କିମ୍ବା ଦନାରେ ଜଳନ୍ତା ଅଙ୍ଗାର ରଖି ତା’ ଉପରେ ଝୁଣା ପକାଇ ଘରର ଚାରି ପାର୍ଶ୍ବରେ ବୁଲାଇବା ପରେ ଗ୍ରାମର ମଧ୍ୟସ୍ଥଳକୁ ଆଣିଥାନ୍ତି। ଏଥି ସହିତ ଗଣାଙ୍କ ପାଇଁ ଭାତିଆ ମଧ୍ୟ ଦେଇଥାନ୍ତି। ଗାଁର ଗଣା, ଜାନୀ ଓ ଝାଙ୍କର ରୁଗୀବଲା ସାମଗ୍ରୀ ଧରି ଖଇ ବିଞ୍ଝି ବିଞ୍ଝି ଗ୍ରାମରୁ ଦୁଷ୍ଟ ଶକ୍ତି ଓ ରୋଗ ବଇରାଗ ବାହାରି ଯିବାକୁ ନିର୍ଦ୍ଦେଶ କରିଥାନ୍ତି। ଗ୍ରାମ ଶେଷମୁଣ୍ଡରେ ସେମାନେ ମଦ, କୁକୁଡ଼ା ଆଦି ଦେଇ ପୂଜାର୍ଚ୍ଚନା କରି ରୋଗ ବଇରାଗ ଦୂର କରିବାକୁ ଗାଁର ଦେବୀ ଦେବତାଙ୍କୁ ପ୍ରାର୍ଥନା କରିଥାନ୍ତି। ତେବେ ବୁଢ଼ୀପଦର ଗାଁରେ କେବଳ ଗଣା ହିଁ ରୁଗୀବଲା କାର୍ଯ୍ୟ ସଂପାଦନ କରିଥାନ୍ତି। ଏହି ଗାଁର ରୁଗୀବଲା ପରମ୍ପରାରେ ଦେବାଦେବୀଙ୍କୁ ମଦ୍ୟ କିମ୍ବା ବଳୀ ଦେବାର ବିଧାନ ନାହିଁ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.