ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅବସରରେ ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲ ପକ୍ଷରୁ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅବସରରେ ଆଜି ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ସମ୍ବାଦ ଆମ ଓଡ଼ିଶା’ ସହଯୋଗରେ ରକ୍ତ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବିନୟ ଭୂଷଣ ବିହାରୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜ୍ଞାନୀନ୍ଦ୍ର ନାଥ ବେହେରା ମିଳିତ ଭାବେ ଉଦ୍‌ଘାଟନ କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜଡ଼ିତ ପ୍ରତ୍ୟେକ କର୍ମଚାରୀଙ୍କର ରୋଗୀମାନଙ୍କ ପ୍ରତି ଏମିତି ସେବା ଓ ସମର୍ପିତ ଭାବନା ରହିବା ଜରୁରୀ ବୋଲି କହିଥିଲେ। ମେଡିକାଲ କଲେଜ ହସ୍ପିଟାଲର ରକ୍ତଭଣ୍ଡାରକୁ ଦ୍ୱିତୀୟ ଥର ‌ପାଇଁ ହୋଇଥିବା ରକ୍ତଦାନ ଶିବିରରେ ମେଡିକାଲ କଲେଜର ଡାକ୍ତର, ନର୍ସ ଓ କର୍ମଚାରୀମାନେ ଅଂଶଗ୍ରହଣ କରି ରକ୍ତଦାନ କରିବା ବାସ୍ତବରେ ପ୍ରଶଂସନୀୟ। ସମସ୍ତ ରକ୍ତଦାତାଙ୍କୁ ପ୍ରଫେସର ବେହେରା ସାଧୁବାଦ ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ଫକିରମୋହନ ମେଡିକାଲ କଲେଜ ଓ ହସପିଟାଲର ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ, ପ୍ରଫେସର ଏଣ୍ଡ ଏଚଓଡି କମ୍ୟୁନିଟି ମେଡିସିନର ନୋଡାଲ ଅଫିସର୍ ଡାକ୍ତର ନିବେଦିତା କର୍ମୀ ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥି‌ଲେ। ଏହି ଶିବିରରୁ ୨୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ବାଲେଶ୍ବର ରକ୍ତ କେନ୍ଦ୍ରର ବରିଷ୍ଠ ଟେକ୍ନିସିଆନ୍ ବିଜୟ ପଟ୍ଟନାୟକଙ୍କ ନେତୃତ୍ବରେ ରକ୍ତ ସଂଗ୍ରହ ହୋଇଥିବା ବେଳେ ରକ୍ତଭଣ୍ଡାର ଇନଚାର୍ଜ ଟେକ୍ନିସିଆନ୍ ଜ୍ୟୋତିଷ ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ପ୍ରଭାତ ବାରିକ, ପାଥୋଲୋଜିର ଇନଚାର୍ଜ ଟେକ୍ନିସିଆନ୍ ଲମ୍ବୋଧର ବେହେରା, ‘ସମ୍ବାଦ-ଆମ ଓଡ଼ିଶା’ ଉତ୍ତର ଓଡ଼ିଶା ସଂସ୍କରଣ ସଂଯୋଜକ ଲକ୍ଷ୍ମୀଧର ବାରିକ, ରେମୁଣା ‘ସମ୍ବାଦ’ ପ୍ରତିନିଧି ମାନସ ପାଢ଼ୀ ଶିବିରକୁ ପରିଚାଳନା କରିଥିବା ବେଳେ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ। ଡାକ୍ତର ବେହେରା ଶେଷରେ ସମସ୍ତ ରକ୍ତଦାତାମ‌ାନଙ୍କୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.