ନର୍ଲା ମେଡିକାଲରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିନକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ବିଜେପି ତରଫରୁ ମୋଦୀଙ୍କ ଜନ୍ମ ଦିନ ୧୭ ସେପ୍ଟେମ୍ବର ରୁ ସପ୍ତାହ ବ୍ୟାପି ବିଭିନ୍ନ ବ୍ଲକ ଗୁଡିକରେ “ସେବା ସପ୍ତାହ” ପାଳନ କରାଯାଇ ଏଥିରେ ରକ୍ତଦାନ ଶିବିର ମାନ ଚାଲିଛି । ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଯାଏଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନାରେ ପରିବାରର ମୂଳ ମହିଳା ମାନଙ୍କ ସମ୍ମାନାର୍ଥେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଭଳି ଯୋଜନା ପ୍ରଣୟନ କରି ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି । ସାରା ଜିଲ୍ଲାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁସ୍ଥନାରୀ କାର୍ଯ୍ୟକ୍ରମରେ ମହିଳା ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଉଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶନିବାର ଅନୁଷ୍ଠିତ ହୋଇଛି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ.ଆଶୁତୋଷ ପଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ମାର୍ଗଦର୍ଶନ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିଶୁରୋଗ ବିଶେଷଜ୍ଞ ଡା. ଅରୁଣ ପାତ୍ର, ପ୍ରସୂତି ବିଶେଷଜ୍ଞ ଡା.ଆଶିଷ କୁମାର ଧରୁଆ ପ୍ରମୁଖ ମଞ୍ଚାସୀନ ହୋଇ ମାର୍ଗଦର୍ଶନ ଦେଇଥିଲେ । ବିପିଏମ ସବୀର କୁମାର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପିଏଚଇଓ ବିମଳ ଚନ୍ଦ୍ର ଦୀପ ମଞ୍ଚ ସଂଯୋଜନା କରିଥିଲେ ।ଏନଟିଏସ ଦେବାଶିଷ ଭୋଇ, ଏସଟିଏଚ ଅଜିତ ଆଚାର୍ଯ୍ୟ, ବିଏଏମ ପ୍ରଶାନ୍ତ ରଣା, ଫାର୍ମାଶିଷ୍ଟ ପଙ୍କଜିନୀ ସାହୁଙ୍କ ସମେତ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ଓ ଗୁରୁକୁଳ ନର୍ସିଂ କଲେଜର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି “ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ରକ୍ତଚାପ, ମଧୁମେହ ଭଳି ରୋଗ ଗୁଡିକର ପରୀକ୍ଷଣ ସାଙ୍ଗକୁ ଶିଶୁ ବିଶେଷଜ୍ଞ, ପ୍ରସୂତି ବିଶେଷଜ୍ଞ, ଦନ୍ତ ଚିକିତ୍ସକ, ମେଡିସିନ ସ୍ପେସିଆଲିଷ୍ଟ, ଚକ୍ଷୁ ବିଶେଷଜ୍ଞ ଏଭଳି ପୃଥକ ପୃଥକ ୧୨ ଗୋଟି ବିଭାଗ ଖୋଲାଯାଇ ଡାକ୍ତର ମାନେ ରୋଗୀଙ୍କୁ ପରୀକ୍ଷା କରି ମାଗଣାରେ ଔଷଧ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିହାର କୁମାର ପଣ୍ଡା ଓ ଏଡିଏମ ଦିଲୀପ କୁମାର ଦୁବେ ଆସି ତଦାରଖ କରି ସନ୍ତୋଷ ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ପୁର୍ବାହ୍ନ ୧୦ ଟା ଠାରୁ ମଧ୍ୟାହ୍ନ ୧.୩୦ ଯାଏଁ ଚାଲିଥିଲା । ଏଥିରେ ସମୁଦାୟ ୨୪୫ ଜଣ ରୋଗୀ ନିଜର ନାମ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ସେବା ପାଇଥିବା ବିପିଏମ ଶ୍ରୀ ପଧାନ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.