ବିଶ୍ୱନାଥପୁର-ମୂଷାନାଲ ରାସ୍ତା ଅବସ୍ଥା ଶୋଚନୀୟ: ଗଡ଼ି ପାରୁନି ଆମ୍ବୁଲାନ୍ସ, ଲୋକେ ହଟହଟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରୁ ବିଜେପୁରକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଖାଲଖମା ସୃଷ୍ଟି ହୋଇଥିବାବେଳେ ବନ୍ଧପାରୀ ଓ ମୂଷାନାଲ କେନ୍ଦୁଗୁଡା ଛକ,ଦୋରାପଡ଼ା ଠାରେ ରାସ୍ତା ଦୁଇ ପାର୍ଶ୍ଵ ବଡ଼ ବଡ଼ ଖାଲ ହେବା ସହ କୃତ୍ରିମ ପୋଖରୀ ସୃଷ୍ଟି ହୋଇ ପାଣି ଜମିରହୁଛି। ଫଳରେ ଚାରି ଚକିଆ ଯାନ ବାହାନ ଯିବା ବହୁତ କଷ୍ଟ ହେଉଥିବାବେଲେ ଦୁଇ ଚକିଆ ଯାନବାହନ ଯିବାପାଇଁ ବି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଉକ୍ତ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନଥିବା ଚିତ୍ର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଲାଞ୍ଜି ପଞ୍ଚାୟତ ସ୍ଥିତ ସିନ୍ଧିପଦର ଗ୍ରାମର ସୁମନ୍ତୀ ହରିଜନ ଜଣେ ଗର୍ଭବତୀ ମହିଳା ତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ସ୍ୱାମୀ ନରେନ୍ଦ୍ର ହରିଜନ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ତେବେ କଲେ ବଳେ କୌଶଳେ ସିନ୍ଧିପଦର ଗାଁକୁ ଆମ୍ବୁଲାନ୍ସ ପହଞ୍ଚିଥିଲା ସତ କିନ୍ତୁ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଶ୍ୱନାଥପୁରକୁ ଯାଉଥିବାବେଲେ ମୂଷାନାଲ ଦୋରାପଡ଼ା ସମ୍ମୁଖରେ ସୃଷ୍ଟି ହୋଇଥିବା ଏକ ଖାଲରେ ପଡ଼ି ଗଡ଼ି ପାରିନଥିଲା ଆମ୍ବୁଲାନ୍ସ। ଶେଷରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବହୁ କଷ୍ଟେ ଉକ୍ତ ଗର୍ତ୍ତରୁ ବାହାରି କରି ପାରିଥିଲେ ଆମ୍ବୁଲାନ୍ସକୁ। ଏହାପରେ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.