ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାନ୍ତାଳୀ ଲିପି ‘ଅଲଚିକି’ର ଶତବାର୍ଷିକୀ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଏକ ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟ ପରିସରରେ, କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ମୁଖ୍ଯ ଅତିଥି ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କ ଦ୍ବାରା ଉନ୍ମୋଚିତ କରାଯାଇଛି। ଏଥିପାଇଁ ଆୟୋଜିତ ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ, ମୁଖ୍ଯ ଅତିଥି ଭାବେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ( ପୂର୍ବତନ ଅଧ୍ୟକ୍ଷ, ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ସ୍ବୟଂଶାସିତ ମହାବିଦ୍ୟାଳୟ, ବାରିପଦା), ମୁଖ୍ଯବକ୍ତା ଭାବେ ଶ୍ରୀ ମଦନ ମୋହନ ସୋରେନ (ପୂର୍ବତନ ସଂଯୋଜକ, ସାନ୍ତାଳୀ ସାହିତ୍ଯ ଏକାଡେମୀ, ନୂଆଦିଲ୍ଲୀ) ପ୍ରମୁଖ ଯୋଗଦେଇ ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ତ୍ରିପାଠୀ ନିଜ ଉଦବୋଧନରେ, ବିଭିନ୍ନ ଭାଷାର ସଂରକ୍ଷଣ, ଗବେଷଣା ତଥା ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାର ଏକ କୌଶଳମୂଳକ ପଦ୍ଧତିମାଳା ଓ ସହଜ ଅନୁବାଦ ଶିକ୍ଷା ପ୍ରକ୍ରିୟାକୁ ଆରମ୍ଭ କରିବାର ପ୍ରୟାସକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିସହ ମୁଖ୍ଯବକ୍ତା ଓ ମୁଖ୍ଯ ଅତିଥି, ସାନ୍ତାଳୀ ଭାଷା ଓ ଏହାର ସ୍ରଷ୍ଟାଙ୍କୁ ଫକୀରମୋହନ ବିଶ୍ୱବିଦ୍ୟାଳୟ ତରଫରୁ ଦିଆଯାଇଥିବା ସମ୍ମାନ ଓ ସାନ୍ତାଳୀ ଭାଷାର ପାଠ୍ୟକ୍ରମକୁ ଦିଆଯାଇଥିବା ସହଯୋଗକୁ ପ୍ରଶଂସା କରିଥିଲେ । କୁଳପତିଙ୍କ ଦୃଢ ପ୍ରଚେଷ୍ଟାର ଫଳ ସ୍ବରୂପ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ସାନ୍ତାଳୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅବଦାନକୁ ଆଲୋକିତ କରିଥିଲେ। ଏହି ଅବସରରେ କୋଲହ ଜନଜାତିଙ୍କ ଜୀବନ ଓ ସଂସ୍କୃତି ଉପରେ ଲିଖିତ ଏକ ପୁସ୍ତକ ‘ପାହାଡୀ ନଈର ଗୀତ’ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଦ୍ରିତ ଓ ପ୍ରକାଶିତ କରାଯାଇଥିଲା। ଏହି ଆଲୋଚନାଚକ୍ରର ତିନୋଟି ବୈଷୟିକ ଅଧିବେଶନରେ ସାନ୍ତାଳୀ ଭାଷା ଓ ଲିପିର କ୍ରମବିକାଶ, ସାନ୍ତାଳୀ ସାହିତ୍ଯ ଓ ସଂସ୍କୃତି, ସାନ୍ତାଳୀ ସମାଜ ବ୍ୟବସ୍ଥା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋକପାତ କରିଯାଇଥିଲା। ବିଶେଷଜ୍ଞ ଓ ଆଲୋଚକ ଭାବେ ଡ଼କ୍ଟର ଦାଖିନ ମୁର୍ମୁ, ଡ଼କ୍ଟର ଯତୀନ୍ଦ୍ର ନାଥ ବେଶ୍ରା,ଡ଼କ୍ଟର ସୁନାରାମ ସୋରେନ, ସରୋଜ କୁମାର ସୋରେନ, ଚୈତନ୍ଯ ପ୍ରସାଦ ମାଝୀ, ଯଦୁନାଥ ହାଁସଦା, ଡ଼କ୍ଟର ନାକୁ ହାଁସଦା, ଡ଼କ୍ଟର ମହେଶ୍ବର ସୋରେନ, ଡ଼କ୍ଟର ଗଙ୍ଗାଧର ହାଁସଦା, ମାଙ୍ଗାତ ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର ସଂଯୋଜନା ଓ ପରିଚାଳନା କରିଥିଲେ ତଥା ସାନ୍ତାଳୀ ଭାଷା ପାଠ୍ୟକ୍ରମର ଅଧ୍ୟାପିକା ସୁମିତ୍ରା ଟୁଡୁ ଓ ଡ଼କ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।




