ଅପରେସନ୍ “ଅଗ୍ନି”: ବେଆଇନ ବାଣ ଗୋଦାମରେ ଚଢ଼ାଉ : ୩୦ ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଗୁରୁବାର ରାତିରେ ଏକ ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ବ୍ୟାପକ ପରିମାଣର ବାଣ ଜବତ କରିଛନ୍ତି। ଏହାକୁ ନେଇ ଶୁକ୍ରବାର ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଡିଜିଙ୍କ ନିର୍ଦେଶ କ୍ରମେ ବାଲିଗୁଡା କଟାରି ସାହି ସ୍ଥିତ ତ୍ରିଲୋଚନ ପାତ୍ର (ଟିଲୁ) ଙ୍କ ଘରେ ଚଢ଼ାଉ କରି ତାଙ୍କ ଘର ପରିସରରେ ଥିବା ଏକ ଗୋଦାମ ଭିତରେ ଥିବା ୧୧୧ ପ୍ରକାରର ବିଭିନ୍ନ ରକମର ବାଣ ଦେଖିବାକୁ ପାଇଥିଲେ। ବାଣକୁ ଜବତ କରି ତିନୋଟି ପିକଅପ ଭ୍ୟାନ ରେ ଥାନାକୁ ଆଣିଥିଲେ। ଅସୁରକ୍ଷିତ ଭାବରେ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ରଖିବା ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଜବତ ହୋଇଥିବା ବାଣର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ଟଙ୍କା ହେବ ଏବଂ ବାଣ ବିକ୍ରି କରିବା ପାଇଁ ଲାଇସେନ୍ସ ନଥିଲା ବୋଲି ପୋଲିସ ପ୍ରକାଶ କରିଛି। ଗିରଫ ହୋଇଥିବା ବ୍ୟକ୍ତି ତ୍ରିଲୋଚନ ପାତ୍ରଙ୍କୁ ବାଲିଗୁଡା ଥାନା କେଶ ନଂ. ୨୯୮/୨୫, ୨୮୮ ବିଏନ୍ଏସ୍ ଆର.ଡବ୍ଲୁ. ଧାରା ୯ (ଖ) (୧) (ଖ) ବିସ୍ଫୋରକ ଆଇନ ଆର.ଡବ୍ଲୁ. ଧାରା ୫ ଓଡ଼ିଶା ବାଣ ଏବଂ ଲାଉଡ୍ ସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ଅନ୍ତର୍ଗତରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.