ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବର୍ଷା ଯୋଗୁଁ କଳାହାଣ୍ଡିରେ ରେଡ୍ ଆଲର୍ଟ ରହିଥିବାବେଳେ ଜିଲ୍ଲାର କୋକସରା ଅଞ୍ଚଳରେ ଶୁକ୍ରବାର ରାତିରୁ ତୁହାକୁ ତୁହା ବର୍ଷା ହୋଇଛି। ଏଥିଯୋଗୁଁ ଅନେକ ନଦୀ ନାଳ ଉପରେ ପାଣି ପ୍ରବାହିତ ହୋଇଥିଲା ବେଳେ କେତେକ ଅଞ୍ଚଳର ଚାଷ ଜମିରେ ପାଣିମଗ୍ନ ହୋଇଛି। ଏଥି ସହିତ ଅନେକ ଲୋକଙ୍କ ଘର ଦ୍ବାର ମଧ୍ୟ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି। ବ୍ଳକର ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲିଗଡ଼ ଠାରୁ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଉପରେ ୩ଫୁଟ୍ ପାଣି ପ୍ରବାହିତ ହୋଇଥିଲା। ଏବଂ ସ୍ଥାନୀୟ ଅଞ୍ଚଳର କିଛି ଚାଷୀଙ୍କ ଜମିରେ ବ୍ୟାପକ ପାଣି ମାଡ଼ି ଯାଇଥିବାରୁ ଚାଷ ନଷ୍ଟ ହେବା ଆଶଙ୍କା କରାଯାଉଛି। ସେହିପରି ଡହଗାଁ, ସର୍ଗିଗୁଡା, ରେଙ୍ଗାଲପାଲି ଆଦି ଗ୍ରାମର ଅନେକେ ଲୋକଙ୍କ ମାଟି ଘର ବର୍ଷା ଯୋଗୁଁ ଭାଙ୍ଗିଯାଇଥିଲା ଖବର ରହିଛି। ସୂଚନା ଅନୁସାରେ କୋକସରା ବ୍ଳକରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଅଞ୍ଚଳରେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିବା ଜଣାପଡିଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କ୍ଷୟକ୍ଷତି ଆକଳନ କରିବା ପାଇଁ ଦାବି ହୋଇଛି।





