ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ନିଲେଶ କୁମାର ନାଗ): ମାଁ ମାଣିକେଶ୍ବରୀଙ୍କ ବିଶ୍ବ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଭବାନୀପାଟଣାରେ ପ୍ରବଳ ଜନସମାଗମ ହୋଇଛି । ଜେନାଖାଳରୁ ମଙ୍ଗଳବାର ପ୍ରାତଃ ୫.୧୫ ରେ ଛତର ବାହାରି ମାଁ ମାଣିକେଶ୍ଵରୀଙ୍କ ମନ୍ଦିର ଅଭିମୁଖେ ଚାଲିଛନ୍ତି । ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି କଳାହାଣ୍ଡିର ଇଷ୍ଟଦେବୀ । ମାନସିକ ଧାରିମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବଳି ଅର୍ପଣ କରିଛନ୍ତି । ରକ୍ତ ରଞ୍ଜିତ ହୋଇ ଉଠିଛି ରାଜପଥ । ବର୍ଷକୁ ଥରେ ମାଁ ମାଣିକେଶ୍ବରୀ ଛତର ବିଜୟ ଯାତ୍ରା ମାଧ୍ୟମରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଭବାନୀପାଟଣା ସ୍ଥିତ ରାଜବାଟିରେ ମାଁ ମାଣିକେଶ୍ବରୀଙ୍କ ଏକ ଭବ୍ୟ ମନ୍ଦିର ରହିଛି । ପାର୍ବଣ ଋତୁର ଅଷ୍ଟମୀ ଦିନ ନିଶାର୍ଦ୍ଧରେ ଦେବୀ ଜେନାଖାଲକୁ ଯାଇଥାନ୍ତି, ସେଠାରେ ଗୁପ୍ତପୂଜା ବିଧି ସଂପନ୍ନ ହେବାପରେ ପ୍ରାତଃ କାଳରେ ସେଠାରୁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରନ୍ତି । ମାଁଙ୍କ ଦର୍ଶନ ନିମିତ୍ତ ରାସ୍ତାର ଦୁଇପାର୍ଶ୍ବରେ ହଜାର ହଜାର ଜନତା ଚାତକ ପରି ଅପେକ୍ଷା କରି ରହିଥାନ୍ତି । ମାଣିକେଶ୍ବରୀଙ୍କ ଛତର ଯାତ୍ରାର ସାଂସ୍କୃତିକ ବିଭବ ଏହାର ଗାରିମାକୁ ଅଧିକ ରୁଦ୍ଧିମନ୍ତ କରି ଗଢି ତୋଳିଛି । ବିବିଧ ବାଦ୍ୟ ନୃତ୍ୟ ସହ ବିଭିନ୍ନ ବେଷ ପୋଷାକରେ ତଥା ବିଚିତ୍ର ଭଙ୍ଗିରେ ସଜ୍ଜିତ ହୋଇ କଳାକାରମାନେ ଦର୍ଶକଙ୍କ ଚିତ୍ତ ହରଣ କରିବାରେ ସକ୍ଷମ ହୋଇଥାନ୍ତି । ମାଁଙ୍କ ଯାତ୍ରା ବିନା ବାଧାବିଘ୍ନରେ କିପରି ସଂର୍ପନ୍ନ ହେବ ସେଥିପାଇଁ ଏବର୍ଷ କଳାହାଣ୍ଡି ଏସପିଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ବାବଧାନରେ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।