ଓଡିଶାରୁ ବିଜୁଳି କମ୍ପାନୀମାନେ ଠକି ନେଇଥିବା ୬ ହଜାର ୧୧୦ କୋଟି ଟଙ୍କା ଫେରାଇବାକୁ ଦାବି କଲା ସମାଜବାଦୀ ପାର୍ଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶ ବିଦ୍ୟୁତ ନିୟାମକ ଆୟୋଗ ବିଜୁଳି ବିଲରେ ନେଇଥିବା ଅଧୂକ  ଦେୟ ଉପଭୋକ୍ତାଙ୍କୁ ଫେରାଇବାକୁ ଯେଉଁ ଐତିହାସିକ  ନିଷ୍ପତି ନେଇଛନ୍ତି ଓଡ଼ିଶାରେ ମଧ୍ଯ  ସେହିଭଳି  ନିୟମ ଲାଗୁ ହେଉ ବୋଲି  କହିଛି  ସମାଜବାଦୀ ପାର୍ଟି। ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ,  ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିତରଣ କମ୍ପାନିଗୁଡ଼ିକ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୧୩ ପଇସା ହିସାବରେ ସମୁଦାୟ ୮୯୫ କୋଟି ଟଙ୍କା ଫେରସ୍ତ କରିବେ ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ନିୟାମକ ଆୟୋଗ।

ଆର୍ଥିକ ବର୍ଷରେ ବିଦ୍ୟୁତ୍ ଉତ୍ପାଦନର ବ୍ୟୟ ଆକଳନ କରି ୨୦୨୪-୨୫ ପାଇଁ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟରେ ବିଦ୍ୟୁତ୍ କ୍ରୟ ମୂଲ୍ୟ ବାବଦକୁ ୟୁନିଟ ପିଛା ୪୦ ପଇସା ହିସାବରେ ୨୭୫୮ କୋଟି ଟଙ୍କା ଅନୁମୋଦନ କରିଥିଲେ। ପରେ ଆୟବ୍ୟୟ ହିସାବକୁ ସମୀକ୍ଷା କରି ଏଫ୍‌ପିପିସିଏ ବାବଦକୁ ୟୁନିଟ୍ ପିଛା ୨୭ ପଇସା ହିସାବରେ ମାତ୍ର ୧୮୬୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜଣାପଡ଼ିଥିଲା। ବିଦ୍ୟୁତ୍ ଆଇନ୍ ୨୦୦୩ ଧାରା ୬୨(୬) ଅନୁସାରେ ଅଧିକ ଆଦାୟ ହୋଇଥିବା ୮୯୫ କୋଟି ଟଙ୍କା ଉପଭୋକ୍ତାଙ୍କୁ ଫେରସ୍ତ କରାଯିବା ପାଇଁ ଆଦେଶ ଜାରି କରିଛନ୍ତି ଆନ୍ଧ୍ର ସରକାର।

ସେହିଭଳି ଓଡ଼ିଶାରେ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଅନୁମୋଦନ କରୁଥିବା ବିଦ୍ୟୁତ କ୍ରୟ ମୂଲ୍ୟ (କେନ୍ଦ୍ରୀୟ ବିଦ୍ୟୁତ ଉତ୍ପାଦନ ସଂସ୍ଥାଙ୍କଠାରୁ) ଆଜି ପର୍ଯ୍ୟନ୍ତ ପ୍ରକୃତ ଆୟବ୍ୟୟର ସମୀକ୍ଷା କରାଯାଇ ନାହିଁ। ସୂଚନା ଅନୁଯାଇ ୨୦୧୭-୧୮ରୁ ୨୦୨୩-୨୪ ପର୍ଯ୍ୟନ୍ତ ଅର୍ଥାତ୍ ୭ବର୍ଷ ଭିତରେ ଓଡ଼ିଶାର ବିତରଣ କମ୍ପାନିମାନେ ଆୟୋଗ ଅନୁମୋଦନ କରିଥିବା ହାରାହାରି ବିଦ୍ୟୁତ୍ ମୂଲ୍ୟ ଠାରୁ ଅଧିକ ୬୧୧୦ କୋଟି ଟଙ୍କା ଉପଭୋକ୍ତାଙ୍କ ଠାରୁ ଆଦାୟ କରିଛନ୍ତି। ଅଦ୍ୟାବଧି ଉପଭୋକ୍ତାଙ୍କୁ ବଳକା ଅର୍ଥ ଫେରସ୍ତ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡାକି ରାଜ୍ୟରେ ଦୀର୍ଘ ୮ ବର୍ଷ ଧରି ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ଯାଏ ବିଜୁଳି କମ୍ପାନୀମାନେ ଠକି ନେଇଥିବା ୬ ହଜାର ୧୧୦ କୋଟି ଟଙ୍କା ଉପଭୋକ୍ତା ଙ୍କୁ ଫେରାଇବାକୁ ଦାବି କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି। ରାଜ୍ୟ ସରକାର ତୁରନ୍ତ  ରାଜ୍ୟରେ ହୋଇଥିବା ବିଦୂତ ଠକେଇର ଉଚ୍ଚ ସ୍ତରୀୟ ତଦନ୍ତ କରି ଗରିବ ଉପଭୋକ୍ତା ମାନଙ୍କୁ ଠକି ନେଇଥିବା ବକେୟା ଅର୍ଥ  ଫେରସ୍ତ କରନ୍ତୁ ବୋଲି ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଦୃଢ଼ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.