ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଦେହେଲି ନିକଟରେ ଗୁରୁବାର ସକାଳୁ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଧଳା ରଙ୍ଗର କାର (ସିଜି ୦୪ କେ ଜେଡ଼ ୭୮୯୦) ଆଜି ଭୋର ୫ ଟା ସମୟରେ ୨୬ ନମ୍ବର ରାଜ୍ୟ ରାଜପଥ ନର୍ଲାର ଦେହେଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡରେ ଥିବା ଏକ ଗଛରେ କାରଟି ପିଟି ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଛି। କାରରେ ୬ ଜଣ ଯାତ୍ରୀ ବସିଥିଲେ। ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣା ପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିବା ବେଳେ, ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୨/୯ ରେ ଦେହେଲି ଏହି ବୁଲାଣି ନିକଟରେ ହିଁ ବାଇକ ଓ ପିକପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଆସୁଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।