ସ୍ତ୍ରୀକୁ ଗଳା ଚିପି ହତ୍ୟା ଅଭିଯୋଗରେ ସ୍ୱାମୀ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସର୍ଗିଗୁଡା ଗ୍ରାମର ପୁଲସିଙ୍ଗ ମାଝୀ (୫୯) ନିଜ ସ୍ତ୍ରୀ ବୁତ୍ରୀ ମାଝୀ (୫୫)କୁ ସୋମବାର ରାତିରେ ତଣ୍ଟିଚିପି ହତ୍ୟା କରିଥିଲା। ସୂଚନାନୁସାରେ ଫୁଲସିଙ୍ଗ ମାଝୀ ଓ ସ୍ତ୍ରୀ ବୁତ୍ରୀ ମାଝୀ ପରିବାର ସହିତ ସର୍ଗିଗୁଡାରେ ରହୁଥିଲେ। ଫୁଲସିଙ୍ଗ ର ପାଞ୍ଚ ଗୋଟି ଝିଅ ଦୁଇଟି ପୁଅ ଥିବାବେଳେ ଚାରିଗୋଟି ଝିଅ ବାହା ହୋଇଯାଇଛନ୍ତି। ଫୁଲସିଙ୍ଗ ସ୍ତ୍ରୀଙ୍କ ସହିତ ନିକଟସ୍ଥ ଜଙ୍ଗଲ ନିକଟରେ ଏକୁଟିଆ ଘର କରି ରହୁଥିଲା। ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ପୁଲସିଙ୍ଗ ନିଜ ସ୍ତ୍ରୀ ବୁତ୍ରୀ ମାଝୀକୁ ତଣ୍ଟିଚିପି ହତ୍ୟା କରିଥିବା ବେଳେ ହତ୍ୟାପରେ ସେଠାରୁ ଫେରାର ହୋଇ ଯାଇଥିଲା। ମଙ୍ଗଳବାର ସକାଳେ ଖବରପାଇ କଳାହାଣ୍ଡି ଜିଲ୍ଲା ସିଲେଟ ପଞ୍ଚାୟତ କର୍ଲାପାଟ ଥାନା ଅନ୍ତର୍ଗତ କାରାବାଲି ଗ୍ରାମରୁ ମୃତ ବୁତ୍ରୀର ଭାଇ ବାନାଙ୍ଗ ମାଝୀ ପହଞ୍ଚି ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପରେ ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନିଙ୍କ ନେତୃତ୍ୱରେ ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ଼କୁ ପଠାଇଥିଲେ। ମଙ୍ଗଳବାର ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରିନଥିବା ବେଳେ ବୁଧବାର ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ବୁଧବାର ପୋଲିସ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁପେଟ ଗ୍ରାମରେ ଲୁଚିଥିବା ଅଭିଯୁକ୍ତ ପୁଲସିଙ୍ଗକୁ ଗିରଫ କରି ଥାନାକୁ ନେଇ ପଚରା ଉଚୁରା କରିଥିଲେ। ପଚରା ଉଚୁରା ପରେ ଅଭିଯୁକ୍ତ ତଣ୍ଟିଚିପି ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ବିଜେପୁର ଥାନା କେଶ ନଂ୨୮/୨୫ ରେ ଅଭିଯୁକ୍ତ ପୁଲସିଙ୍ଗକୁ ବୁଧବାର କୋର୍ଟ ଚାଲାଣ କରିଥିବା ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.