ପ୍ରଧାନମନ୍ତ୍ରୀ ଆଜି କରିବେ ବିଭିନ୍ନ ଯୁବ ପର୍ଯ୍ୟବେସିତ ଯୋଜନାର ଲୋକାର୍ପଣ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ନୂଆଦିଲ୍ଲୀରେ ବିଭିନ୍ନ ଯୁବ ପର୍ଯ୍ୟାବେସିତ ଯୋଜନା ଗୁଡ଼ିକର ଲୋକାର୍ପଣ କରିବେ। ଶନିବାର ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବାକୁ ଥିବା ଯୋଜନା ସମୁହର ଅଟକଳ ମୂଲ୍ୟ ୬୨ ହଜାର କୋଟିରୁ ଅଧିକ ରହିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଯୁବ କୌଶଳ ବିକାଶ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶର ଏକ ହଜାର ସରକାରୀ ଆଇ.ଟି.ଆଇ. ଗୁଡ଼ିକର ଉନ୍ନତିକରଣ ପାଇଁ ପି.ଏମ୍‌.-ଏସ.ଇ.ଟି.ୟୁ.ର ଶୁଭାରମ୍ଭ କରିବେ। ୩୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନବୋଦୟ ବିଦ୍ୟାଳୟ ଏବଂ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ଥାପିତ ଏକ ହଜାର ଦୁଇ ଶହ ଧନ୍ଦାମୂଳକ ଦକ୍ଷତା ପରୀକ୍ଷାଗାରକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

ଏହାସହ କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଆଇ.ଟି.ଆଇ.ରେ ସର୍ବଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟସୂଚୀ ରହିଛି। ଶିଳ୍ପ ଭିତ୍ତିକ ପାଠ୍ୟକ୍ରମ ଏବଂ ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରରେ ଜନ ନାୟକ କର୍ପୁରୀ ଠାକୁର ଦକ୍ଷତା ବିଶ୍ୱବିଦ୍ୟାଳୟର ଉଦଘାଟନ କରିବେ।

ଏହାସହ ଦୁଇ ବର୍ଷ ପାଇଁ ପାଞ୍ଚ ଲକ୍ଷ ସ୍ନାତକଙ୍କୁ ମାସିକ ଏକ ହଜାର ଟଙ୍କା ଭତ୍ତା ପ୍ରଦାନ କରୁଥିବା ବିହାରର ପୁର୍ନଗଠିତ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ୱୟମ ସହାୟତା ଭତ୍ତା ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ। 

ପ୍ରଧାନମନ୍ତ୍ରୀ ବିହାର ସରକାରଙ୍କ ୪,୦୦୦ରୁ ଅଧିକ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ବାଳକ/ବାଳିକା ଛାତ୍ରବୃତ୍ତି ଯୋଜନା ଅଧୀନରେ ୯ମ ଏବଂ ୧୦ମ ଶ୍ରେଣୀର ୨୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ, ସିଧାସଳଖ ଲାଭ ପ୍ରେରଣ ମାଧ୍ୟମରେ ୪୫୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବେ। ବିହାରର ଚାରୋଟି ବିଶ୍ୱବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ଏବଂ ଗବେଷଣା ସୁବିଧା ଥିବା ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ପାଟନା ସ୍ଥିତ ଏନ.ଆଇ.ଟି’ର ନୂତନ କ୍ୟାମ୍ପସକୁ ମଧ୍ୟ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.