ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀଙ୍କ ମୃତ୍ୟୁ: ଶିକାର କରିବାକୁ ଯାଇ ନିଜେ ଶିକାର ହୋଇଗଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଚାରିଜଣ ମିଶି ଘରୁ ବାହାରିଥିଲେ ଜଙ୍ଗଲକୁ ଶିକାର କରିବାକୁ ବାହାରିଥିଲେ, ସାଙ୍ଗରେ ଥିଲା ଏକ ହାତ ତିଆରି ଦେଶୀ ବନ୍ଧୁକ। ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। କିନ୍ତୁ ତିନି ଫେରିଲେ ଆଉ ଫେରିଲା ଜଣକର ମୃତଦେହ। କାରଣ ନିଜେ ଧରିଥିବା ବନ୍ଧୁକରୁ ଗୁଳି ଫୁଟି ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ଯାଇଛି। ଆଉ ମୃତଦେହକୁ ରାତିସାରା ଜଗି ବସିଛନ୍ତି ସାଙ୍ଗରେ ଯାଇଥିବା ତିନି ବ୍ୟକ୍ତିବିଶେଷ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ପଞ୍ଚାୟତ ତଥା ନର୍ଲା ଥାନା ଅନ୍ତର୍ଗତ ଖିକ୍ସାଭଟା ଗାଁରେ। ଗାଁର ସଦା ଗଉଡ଼ ନାମକ ଜଣେ ବ୍ୟକ୍ତି ନିଜର ତିନିଜଣ ସାଙ୍ଗ ଲଛମନ ଗଉଡ, ଯଦୁମଣି ଗଉଡ଼ ଓ ଗୋପୀନାଥ ଗଉଡ଼ ସହିତ ମିଶି ଶନିବାର ସକାଳୁ ଗାଁକୁ ଲାଗିଥିବା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ଦିନସାରା ବୁଲି ବୁଲି କିଛି ନପାଇବାରୁ ସାଙ୍ଗରେ ଥିବା ବାସୀ ପଖାଳକୁ ଖାଇସାରି ପୁଣି ଜନ୍ତୁ ଖୋଜିବାକୁ ବାହାରିଥିଲେ। କିନ୍ତୁ ସେଇ ସମୟରେ ଆଗରେ ଚାଲୁଥିବା ସଦା କୁଆଡେ ଏକ ପଥରରେ ଖସିପଡ଼ିଥିଲେ। ସେଇ ସମୟରେ ନିଜେ ଧରିଥିବା ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଅଣ୍ଟା ଭେଦି ବାହାରିଯିବାରୁ ତାଙ୍କର ସେଠାରେ ହିଁ ମୃତ୍ୟୁ ଘଟିଥିବା ସାଙ୍ଗରେ ଥିବା ବ୍ୟକ୍ତିମାନେ  କହିଛନ୍ତି। ଏ ସମ୍ପର୍କରେ ତାଙ୍କ ସାଙ୍ଗେ ଯାଇଥିବା ଜଣେ ଯୁବକ ଗୋପୀନାଥ ରାତି ନଅଟାରେ ଘରେ ଖବର ଦେଇଥିଲା। ଏପରିକି ଜଙ୍ଗଲ ଭିତରୁ ଶବ ଉଠାଇ ସେଇ ତିନିଜଣ ଗାଁ ନିକଟକୁ ନେଇ ଆସି ରାତି ତମାମ ଜଗି ବସିଥିଲେ। ଆଜି ସକାଳେ ଖବର ପାଇ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ସମେତ ନର୍ଲା ଥାନାଧିକାରୀ ବିଜୟରାଜ ମାଝୀ ଓ ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀ ମୋହନ ପିଡିକାଙ୍କ ନେତୃତ୍ୱରେ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷରେ ମୃତକଙ୍କ ପରିବାର ଲୋକେ ସଦାକୁ ସେଇ ତିନିଜଣ ଗୁଳି ମାରି ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ଦିଗରୁ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସଦାଙ୍କ ତିନିଜଣ ସାଙ୍ଗଙ୍କୁ ଅଟକ ରଖିଥିବାବେଳେ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.