ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ: ଦିନକ ପରେ ପହଞ୍ଚିଲା ମୃତ ଦେହ, ଗାଁରେ ଶୋକାକୁଳ ପରିବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିଜ ଅଞ୍ଚଳରେ କାମ ଧନ୍ଦା ନ ପାଇ ଅର୍ଥ ରୋଜଗାର ଆଶାରେ କେରଳ, ଗୁଜୁରାଟ,ତାମିଲନାଡୁ ଯାଇ କିଏ ଗୋଡ଼, ହାତ ହରାଉଛିତ, କିଏ ମୃତ୍ୟୁ ମୁଖରେ ପଡୁଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅର୍ନ୍ତଗତ ତ୍ରିଲୋଚନପୁର ଗ୍ରାମର ଆପାରାଓ ପଲକିଆ(୫୦) ଦାଦନ ଖଟିବାକୁ ଯାଇ ରବିବାର ବିଜୟନବରଙ୍ଗରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ତ୍ରିଲୋଚନପୁର ଗାଁର ଆପାରାଓ ପଲକିଆ ପୂର୍ବରୁ ଦାଦନ ଖଟିବାକୁ ଯାଇଥିବା ଗାଁର ଅନ୍ୟ ଯୁବକ ମାନଙ୍କ ସହିତ ଯୋଗାଯୋଗ କରି ଆଜିକୁ ୧୫ ଦିନ ତଳେ ଆନ୍ଦ୍ରପ୍ରଦେଶର ବିଜୟନବରଙ୍ଗର ଏକ ପ୍ଲାଇଓଡ଼ କମ୍ପାନୀରେ ପୂର୍ବରୁ ରହିଥିବା ଗାଁ ଲୋକଙ୍କ ସହିତ ମିଶି କାମ କରୁଥିବା ବେଳେ ଗତ ଦୁଇଦିନ ତଳେ ଦେହ ଅସୁସ୍ଥ ହୋଇଥିଲା। ସାଥିରେ ଥିବା ଗାଁ ଲୋକେ ଔଷଧ ପତ୍ର ଆଣି ଆପାରାଓଙ୍କୁ ଦେଇଥିବା ବେଳେ ସେ କାମ କରିବାକୁ ନଯାଇ କମ୍ପାନୀ ଦେଇଥିବା ଘରେ ରହୁଥିବା ବେଳେ ରବିବାର ରାତିରେ ଆପାରାଓଙ୍କ ମୃତ୍ୟୁ ଘଟିଥିଲା। ଗତ ୭ ବର୍ଷ ତଳେ ଆପାରାଓଙ୍କ ବଡ଼ପୁଅ ସୁଦନ ପଲକିଆ କେରଳ ରାଜ୍ୟକୁ କାମ କରିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ ପରିବାରର ପ୍ରତିପୋଷଣ ବୋଝ ଆପାରାଓ ଉପରେ ରହିଥିଲା। ବର୍ତ୍ତମାନ ସ୍ୱାମୀର ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ପ୍ରଫୁଲ୍ଲ ପଲକିଆ, ଝିଅ ଦଇମତି ପଲକିଆ(୧୮)ପୁଅ ଜନେକ ପଲକିଆ(୧୭)ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ବେଳେ ସେମାନଙ୍କ ପାଖରେ ବିଜୟନବରଙ୍ଗ ଠାରୁ ଶବ ଆଣିବା ପାଇଁ ସମ୍ବଳ ନଥିବାରୁ ସାଥିରେ କାମ କରୁଥିବା ଗାଁ ଜଳନ୍ଦର ବାଗ ଓ ଅନ୍ତ ପରାଭୋଇ କମ୍ପାନୀ ମାଲିକଙ୍କୁ ଜଣାଇବା ପରେ ଆଜି ଦୁହେଁ ଆମ୍ବୁଲାନ୍ସ ଯୋଗେ ଆପାରାଓଙ୍କ ମର ଶରୀର ନେଇ ପୂର୍ବାହ୍ନ ସାଢେ଼ ୧୦ ଘଣ୍ଟା ସମୟରେ ତ୍ରିଲୋଚନପୁର ଗାଁରେ ପହଞ୍ଚି ଥିଲେ। ଆଜି ଗାଁରେ ଆପାରାଓଙ୍କ ମୃତ ଦେହ ପହଁଚିବାପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରେ ପରିବାର ,ଗାଁ ଲୋକଙ୍କ ପକ୍ଷରୁ ଶବ ସତ୍କାର କରା ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.