ବିଶ୍ୱର ସର୍ବପ୍ରଥମ ସ୍ଵଲାଭ-ରହିତ ପ୍ରକାଶନୀ ପରିବାର ବାଗ୍ମୀ ପବ୍ଲିକେଶନ୍ସ ପକ୍ଷରୁ ଲୋକାର୍ପିତ ହେଲା ୪୦ ପୁସ୍ତକ

କଳା ଓ ସାହିତ୍ୟକୁ ସମାଜସେବା ସହ ଯୋଡ଼ିବାର ନିଆରା ପ୍ରୟାସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଅନ୍ୱେଷଣ ଚାରିଟେବୁଲ୍ ଟ୍ରଷ୍ଟ ଦ୍ଵାରା ପରିଚାଳିତ ବିଶ୍ଵର ସର୍ବପ୍ରଥମ ଓ ଏକମାତ୍ର ସ୍ୱଲାଭ-ରହିତ ପ୍ରକାଶନୀ ପରିବାର ‘ବାଗ୍ମୀ ପବ୍ଲିକେଶନ’ର ପ୍ରଥମ ବାର୍ଷିକୋତ୍ସବ ‘ଆରମ୍ଭ ୨୦୨୫’ ସଂପ୍ରତି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମର ନୂତନ ପ୍ରକୋଷ୍ଠରେ ଉଦଘାଟିତ ହୋଇଯାଇଛି।

ଏଥିରେ ତିରିଶ ଲେଖକ/ଲେଖିକାଙ୍କର ଚାଳିଶ ପୁସ୍ତକ ସଙ୍କଳନର ଲୋକାର୍ପଣ କରାଯାଇଥିଲା। ଅନ୍ୱେଷଣ ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ‘ବାଗ୍ମୀ ପବ୍ଲିକେଶନ୍ସ’ର ପ୍ରକାଶକ ସୂର୍ଯ୍ୟକାନ୍ତ ପ୍ରଧାନ ସାହିତ୍ୟକୁ ସମାଜସେବା ସହ ଯୋଡ଼ି ଏହାର ମୂଳଦୁଆ ପକାଇଥିଲେ। ପୁସ୍ତକ ପ୍ରକାଶନ ପାଇଁ ଅର୍ଥ ବାଧକ ନ ହେଉ, ଏହି ଉଦ୍ଦେଶ୍ୟରେ ସମସ୍ତ ପୁସ୍ତକ ବିନା ମୂଲ୍ୟରେ ପ୍ରକାଶନର ଗୁରୁ ଦାୟିତ୍ଵ ବହନ କରିଥିବାରୁ ଲେଖକମଣ୍ଡଳୀ କୃତଜ୍ଞତା ଜ୍ଞାପନ କରିଥିଲେ। ବାଗ୍ମୀ ପବ୍ଲିକେଶନ୍ସ ଦ୍ଵାରା ପ୍ରକାଶିତ ସମସ୍ତ ପୁସ୍ତକର ବିକ୍ରିଲବ୍ଧ ଅର୍ଥ କେବଳ ସମାଜ ସେବାରେ ଲାଗିବ ବୋଲି ଲେଖକବୃନ୍ଦ ଓ ପ୍ରକାଶକ ପୁସ୍ତକରେ ସତ୍ୟପାଠ କରିଥିଲେ ।

ଏହି ଉତ୍ସବରେ ଅନ୍ୟ ଏକ ଆକର୍ଷଣ ଥିଲା ବାଗ୍ମୀ ପବ୍ଲିକେଶନ୍ସ୍ ପକ୍ଷରୁ ଉତ୍ତରୀୟ, ମାନପତ୍ର, ବୃକ୍ଷ, ଭଗବତ ଗୀତା ଉପହାର ସହ ତିରିଶ ଜଣ ଲେଖକଙ୍କୁ ‘ବାଗ୍ମୀ ସମ୍ମାନ’, ସମାଜର ବିଭିନ୍ନ କ୍ଷେତ୍ରରେ କର୍ମମୟ ଜୀବନ ବଞ୍ଚୁଥିବା ପନ୍ଦର ଜଣଙ୍କୁ ସେମାନଙ୍କ କର୍ତ୍ତବ୍ୟ ଉଦ୍ଦେଶ୍ୟରେ ନିଷ୍ଠା ଓ ସମାଜ ପାଇଁ ପ୍ରେରଣା ସାଜିଥିବା ପାଇଁ ‘କର୍ତ୍ତବ୍ୟ ନିଷ୍ଠା ସମ୍ମାନ’, ଓ ଅନ୍ଵେଷଣ ଅନୁଷ୍ଠାନକୁ ଆଜି ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇଥିବା ଅଶି ଜଣଙ୍କୁ ‘ଗାର୍ଡିଆନ୍ସ ଅଫ୍ ହୋପ୍’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ, ବରିଷ୍ଠ ସିନେତାରକା ନିର୍ଦ୍ଦେଶକ ଓ ରାଜନେତା, ସୁସାହିତ୍ୟିକ ପ୍ରଶାନ୍ତ ନନ୍ଦ, ସମ୍ମାନିତ ଅତିଥି ରୂପେ ବରିଷ୍ଠ କଣ୍ଠଶିଳ୍ପୀ, ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ଦୈନିକ ‘ସମାଜ’ ତଥା ‘ସତ୍ୟବାଦୀ’ର ପୂର୍ବତନ ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର, ବାଗ୍ମୀ ପବ୍ଲିକେଶନ୍ସର ଉପଦେଷ୍ଟା ହରମୋହନ ଦାଶ, ଅନ୍ୱେଷଣ ପରିବାରର ଉପଦେଷ୍ଟା ଡକ୍ଟର ଦେବୀପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗଦେଇ ଏହାର ଶୋଭା ବର୍ଦ୍ଧନ କରିଥିଲେ ।

ଅନ୍ଵେଷଣ ପାଇଁ ଶିକ୍ଷାରେ ଏବଂ ଚାକିରୀ ପାଇବା ପାଇଁ ଉପକୃତ ହୋଇଥିବା ଦୁଇ ଜଣ ଦୃଷ୍ଟି ବାଧିତ ଭିନ୍ନକ୍ଷମ ଆଶ୍ରିତା ସୁନ୍ଦର ଓ ସନ୍ତୋଷ ରାଉତ ସ୍ଵ ସ୍ୱ ମତ ରଖି ଅନ୍ୱେଷଣ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସୂର୍ଯ୍ୟକାନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ପରିଶେଷରେ କୃତଜ୍ଞତା ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.