ଓଡ଼ିଆ ବାର୍ତ୍ତା/ ବାଲେଶ୍ବର|ବଲାଙ୍ଗୀର (କୃଷ୍ଣ କୁମାର ମହାନ୍ତି): ଚିତ୍ର, ଚିତ୍ରଶିଳ୍ପୀ ଓ ଚିତ୍ରପ୍ରେମୀଙ୍କ ସଂଗଠନ ‘ଚିତ୍ରୋତ୍ପଳା’ ୩.୦ ଆନୁକୂଲ୍ୟରେ ଆୟୋଜିତ ଦ୍ବି-ଦିବସୀୟ ଜଳରଙ୍ଗ ଚିତ୍ର କର୍ମଶାଳା ଓ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ବ୍ଲକ ଛକ ସ୍ଥିତ ମୁନିସିପାଲିଟି ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ ଯୋଗଦେଇ ଚିତ୍ର, ଚିତ୍ରକଳାର ବିକାଶ ଉପରେ ମତ ଦେବା ସହ ଆଗାମୀ ଦିନରେ ଜିଲ୍ଳାରେ ଫଟୋ ଗେଲେରୀ ପ୍ରତିଷ୍ଠା ନିମିତ୍ତ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଭାବରେ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଯୋଗ ଦେଇ ପ୍ରତ୍ୟେକ ଚିତ୍ରଶିଳ୍ପୀ ଈଶ୍ୱର ପ୍ରଜାତିର ବୋଲି ପ୍ରତିପାଦିତ କରିବା ସହ ସେମାନଙ୍କ କୃତୀ ସାମାଜିକ ପରିବର୍ତ୍ତନର ସାମର୍ଥ୍ୟ ରଖେ ବୋଲି ମତବ୍ୟକ୍ତ ରଖିଥିଲେ। ସମ୍ମାନୀତ ଅତିଥି ଭାବରେ ଶିଶୁ ଅଧିକାର ସୁରକ୍ଷା କର୍ମୀ ଘାସିରାମ ପଣ୍ଡା, ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା ସମାଜସେବୀ ଗତିକୃଷ୍ଣ ମିଶ୍ର ଯୋଗଦେଇ ଥିଲେ। ଜାତୀୟ ପୂରସ୍କାର ପ୍ରାପ୍ତ ଆନ୍ତର୍ଜାତିକ ମୃତ୍ତିକା ଶିଳ୍ପୀ ମୁକୁନ୍ଦ ରଣା ସମେତ ଭାଗ ନେଇଥିବା ସମସ୍ତ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଚିତ୍ର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ। ମୋଟ ଏଗାରଟି ଜିଲ୍ଲାର ଛବିଶ ଜଣ ଚିତ୍ରଶିଳ୍ପୀ ଭଗ ନେଇଥିଲେ। ଶେଷରେ ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ‘ଚିତ୍ରୋତ୍ପଳା’ର ସଭାପତି ଦୁର୍ଯ୍ୟୋଧନ ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥି ମଞ୍ଚ ପରିଚାଳନା କରିଥିଲେ।