ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ଶିକ୍ଷକ କୁଳମଣି ସିଂହଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହେଉଥିଲା। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ତାଙ୍କ ଯୁଯୁରାଙ୍ଗ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ପୁଅ କୁଶମଣୀ, ସାନ ପୁଅ କୃଷ୍ଣମଣି, ଦୁଇ ପୁତ୍ର ବଧୂ, ଝିଅ ଜ୍ୱାଇଁ, ନାତି ନାତୁଣୀ ବନ୍ଧୁ ପରିବାର ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସିଂହ ଜଣେ ସୁପରିଚିତ କବି, ଲେଖକ ଓ ଶିକ୍ଷକ ଭାବରେ କଳାହାଣ୍ଡି ଜିଲ୍ଲାରେ ସୁପରିଚିତ ଥିଲେ। ତାଙ୍କ ଦ୍ବାରା ରଚିତ ଏବଂ ପ୍ରକାଶିତ ପୁସ୍ତକ ଗୁଡିକ ମଧ୍ୟରେ ଖନ୍ଦାମଡ଼ା ଗୀତ, ରାମସୀତା ବନ ବିହାର, ଗୁରୁବାର ବଜାର, ମା ମାଣିକେଶ୍ବରୀ ଜଣାଣ, ଶିଶୁ ସଙ୍ଖାଳି, ଚଳନ୍ତି ଠାକୁରଙ୍କ ପୂଜାର୍ଚ୍ଚନା, ଅଷ୍ଟ କଳିକା, କଳାମାଣିକ, ଯୁବାଧନ ସୁରକ୍ଷା କବିତା, ରାଜେଶ୍ୱରୀ ବିଳାସ, ଯମକ ମଞ୍ଜରୀ, ଛଅ ଋତୁ, ପ୍ରଭାତ ସନ୍ଧ୍ୟା ପ୍ରଭୁତି ପୁସ୍ତକ ଲୋକାଦୃତ ଲାଭ କରିଥିଲା। ଏଥିପାଇଁ ସେ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ। ଶ୍ରୀ ସିଂହ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ବ୍ୟକ୍ତିତ୍ୱ ଥିଲେ। ସେ ଯାମଯୋର, ଉଲିକୂପା, ଚିଆଁପଦର, କନାବିରା ଓ ଯୁଯୁରାଙ୍ଗ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଭାବରେ ଦୀର୍ଘ ବର୍ଷ ଶିକ୍ଷକତା କରି ୨୦୦୮ ମସିହାରେ ଅବସର ନେଇଥିଲେ।ସେ ମାଁ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଅନୁଷ୍ଠାନରେ ଦୀର୍ଘ ୧୫ ବର୍ଷ ଧରି ସଭାପତି ଦାୟିତ୍ୱରେ ରହିଥିଲେ।