ବାଲେଶ୍ବରରେ ଜିଲ୍ଲାସ୍ତରୀୟ ଅନୁଷ୍ଠିତ ହେଲା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ ସମ୍ପର୍କିତ ସମାରୋହ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର କମଳରେ ଦିନ ୧୧.୩୦ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଓ ଡାଲି ଜାତୀୟ ଫସଲର ଆତ୍ମନିର୍ଭରତା ମିଶନ ଅଭିଯାନକୁ ନୂଆଦିଲ୍ଲୀରୁ ଆଭାସି ମାଧ୍ୟମରେ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଏକ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ସରକାରୀ ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଉପାଧ୍ୟକ୍ଷା ଶ୍ରୀମତୀ ଅନସୂୟା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କୁ କୃଷି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଇ ସଶକ୍ତ କରିବା ସହିତ ଆଗାମୀ ୨୦୪୭ ସୁଦ୍ଧା ଭାରତ ଏକ ସୁଦୃଢ ବିକଶିତ ରାଷ୍ଟ୍ର ରୂପେ ସୁନିଶ୍ଚିତ କରିବା ପାଇଁ ମତ ବ୍ୟକ୍ତ କରିଥିଲେ। ଏତଦ୍ ଭିନ୍ନ କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ଉନ୍ନତ ମାନର ଡାଲି ଜାତୀୟ ଫସଲକୁ ଦ୍ୱିଗୁଣିତ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବରେଣ୍ୟ ଅତିଥି ଗଣ କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଗ୍ ଦର୍ଶନ ଦେଇଥିଲେ।

ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂ କୃଷି ଓ କୃଷକ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଯୋଜନା ସୁବିଧା ଉପଲବ୍ଧ, କୃଷି କ୍ଷେତ୍ରରେ ଡାଲି ଜାତୀୟ ଫସଲରେ ଓଡ଼ିଶାରେ ୪ ଗୋଟି ଜିଲ୍ଲାକୁ ନେଇ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯିବା ସମ୍ପର୍କରେ ଅବଗତ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଏହି ସମାରୋହରେ ବାଲେଶ୍ଵର ଜିଲାର ବିଭିନ୍ନ ବ୍ଲକରୁ ୧୦୦ ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ସମସ୍ତ କୃଷି ଅଧିକାରୀ, କର୍ମଚାରୀ ସାମିଲ ହୋଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ତୁଙ୍ଗ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.