ବରିଷ୍ଠ ଯାତ୍ରା କଳାକାର ଓ ସାମାଜିକ କର୍ମୀ ପ୍ରଶାନ୍ତ ପାଢ଼ୀଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ହରିଡ଼ା ଗ୍ରାମର ଲୋକପ୍ରିୟ ଯାତ୍ରା କଳାକାର ପ୍ରଶାନ୍ତ କୁମାର ପାଢ଼ୁଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସ୍ବର୍ଗତ ପାଢୀ ଜଣେ ଭଲ ମଣିଷ ଭାବରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ମୂଳ ଘର ବଡକିଆରୁ ଆସି କିଛି ବର୍ଷ ଧରି ହରିଡ଼ା ଗ୍ରାମରେ ଘର କରି ବସବାସ କରି ଆସୁଥିଲେ। ଯାତ୍ରା ଅଭିନୟ ପ୍ରତି ସମର୍ପଣ ଭାବ ଏବଂ ତାଙ୍କର ଖଳନାୟକର ଅଭିନୟ ଲୋକଙ୍କ ପାଖର ତାଙ୍କୁ ପରିଚିତ କରାଇଥିଲା। ତାଙ୍କର ସଂଳାପ ଥରେ ଯିଏ ଶୁଣିଛି, ତାଙ୍କୁ ସବୁଦିନେ ମନେ ରଖିଛି।

ବିଭିନ୍ନ ଯାତ୍ରା ଦଳରେ ଅଭିନୟ କରିବା ସହ, ସମ୍ପ୍ରତି କଳିଙ୍ଗ ଦରବାର ଯାତ୍ରା ଦଳରେ ଅଭିନୟ କରୁଥିଲେ। ଅବସର ସମୟରେ ସାମାଜିକ କର୍ମରେ ନିଜକୁ ମଧ୍ୟ ନିୟୋଜିତ କରୁଥିଲେ। ସୂଚନାଧିକାର କର୍ମୀ ହିସାବରେ ବାଲେଶ୍ୱରରେ ବେଶ୍ ପରିଚିତ ଥିଲେ ସେ। କୁରୁଡ଼ା ଦୁର୍ଗାପୂଜା କମିଟି, କୁରୁଡ଼ା ମହୋତ୍ସବ କମିଟି, ଆଞ୍ଚଳିକ ସୁରକ୍ଷା ମଞ୍ଚ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ସଦସ୍ୟତା ଗ୍ରହଣ କରିଥିଲେ ସେ।

ଘଟଣାରୁ ପ୍ରକାଶ ଯେ, ଯାତ୍ରା ଅଭିନୟ ପାଇଁ ମୟୂରଭଞ୍ଜର ଠାକୁରମୁଣ୍ଡା ଯାଉଥିବା ବେଳେ କୌଣସି କାରଣରୁ ନିଜେ ଚଳାଉଥିବା ବୁଲେଟରୁ ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ସହଯୋଗୀ ଯାତ୍ରା କଳାକାର ଓ ସ୍ଥାନୀୟ ଗ୍ରାମବାସୀ ମାନେ ନିକଟସ୍ଥ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ।

କିନ୍ତୁ ଆଜି ଦିବା ୧ଘଟିକାରେ ସେ ଇହଲୀଳା ସମ୍ବରଣ କରିଥିଲେ। ସେଭଳି ମେଳାପୀ, ସମାଜ ପ୍ରତି ଉତ୍ସର୍ଗୀକୃତ ମଣିଷ, ଉଚ୍ଚକୋଟୀର ଅଭିନେତାକୁ ହରାଇ ଏ ଅଞ୍ଚଳ ଶୋକରେ ବୁଡ଼ି ଯାଇଛି। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି, ଅଞ୍ଚଳବାସୀ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ କୁରୁଡା ଦୁର୍ଗା ପୂଜା କମିଟି, କୁରୁଡା ମହାତ୍ସବ କମିଟି, ଆଞ୍ଚଳିକ ସୁରକ୍ଷା ମଞ୍ଚର ସମସ୍ତ କର୍ମକର୍ତ୍ତାମାନେ ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ମର ଶରୀର ପାଖରେ ତାଙ୍କର ଏକମାତ୍ର ପୁଅ ଓ ପତ୍ନୀ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.