(ଜାତୀୟ ସାମ୍ବାଦିକତା ଦିବସ ଅବସରରେ)
ଆଜି ପ୍ରଦ୍ୟୁମ୍ନ ବଳଙ୍କ ସାମ୍ବାଦିକତା ସଂପର୍କରେ କିଛି ଆଲୋଚନା କରୁଛି। ଏକ ସାଳୀସ ବିହୀନ ରାଜନୀତିଜ୍ଞ, ଏକ ଦୃଢ଼ ସଂଗଠକ, ଜନ ଆନ୍ଦୋଳନର ଜନକ ହେଉଛନ୍ତି ପ୍ରଦ୍ୟୁମ୍ନ ବଳ। ସତୁରୀ ଦଶକରେ ଯାହାଙ୍କର ଶାଣିତ ସ୍ଵର ପାଇଁ ସର୍ବତ୍ର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲେ ସେ ହେଉଛନ୍ତି ପ୍ରଦ୍ୟୁମ୍ନ ବଳ। ତାଙ୍କ ବିଷୟରେ କିମ୍ବା ତାଙ୍କର ସାମ୍ବାଦିକତାର ସ୍ବରୂପ ବିଷୟରେ ଆଲୋଚନା କରିବା ଧୃଷ୍ଟତା ମାତ୍ର। ତାଙ୍କ ରାଜନୈତିକ କାଳଖଣ୍ଡ ବିଷୟରେ କିମ୍ବା ପ୍ରଗତିବାଦୀ ଚେତନା ବିଷୟରେ ଯେତେ ଆଲୋଚନା ଓ ଚର୍ଚ୍ଚା ହେଉଛି ତାଠାରୁ କେତେ ଊର୍ଦ୍ଧ୍ବରେ ସେ ଥିଲେ। ଯଦି ତାଙ୍କର ସାମ୍ବାଦିକତାର ସ୍ବରୂପକୁ ମହାସାଗର ବୋଲି ଧରିବା ତାର ବିନ୍ଦୁ ମାତ୍ର ଏହି ଆଲୋଚନାର କଥାବସ୍ତୁ।
ତାଙ୍କ ମତରେ ସାମ୍ବାଦିକତାର ସ୍ବରୂପ ହେଉଛି ଏକ ନିର୍ଭିକ ସାମ୍ବାଦିକତା। ବ୍ୟକ୍ତିର ବ୍ୟକ୍ତିତ୍ଵର ଆକର୍ଷଣ ହେଉଛି ତା ନିର୍ଭିକତା । ନିର୍ଭିକ ବ୍ୟକ୍ତିତ୍ଵ ହିଁ ସାମ୍ବାଦିକତା ପାଇଁ ପ୍ରଥମ ଯୋଗ୍ୟତା ହେବା ଉଚିତ୍ । ବ୍ୟକ୍ତି ଯଦି ନିର୍ଭିକ ହେବ ନାହଁ ସମ୍ବାଦରେ ସତ୍ୟତା ଆସିବ ନାହଁ । ସତ୍ୟନିଷ୍ଠ ଖବରଦାତା ବିରୋଧର ସମ୍ମୁଖୀନ ହୋଇଥାଏ କିନ୍ତୁ ଜନସାଧାରଣଙ୍କ ପ୍ରିୟ ହୋଇଥାଏ । ନିର୍ଭିକ ସମ୍ବାଦଦାତାର ସ୍ଵର ଶାସକ ଦଳ ତଥା ଶୋଷକର ନିଦ ହଜାଇ ଦେଇଥାଏ। ସେଥିପାଇଁ ସେ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଥାଏ କିନ୍ତୁ ଜନତାଙ୍କ ହୃଦୟରେ ଈଶ୍ବର ପରି ସ୍ଥାନ ଅଧିକାର କରିଥାଏ। ପ୍ରଦ୍ୟୁମ୍ନ ବଳ ସେହିପରି ନିର୍ଭିକ ସାମ୍ବାଦିକତା ଉପରେ ବିଶ୍ବାସ କରୁଥିଲେ । ଭୟ ତଥା ଭୀରୁତା ପାଇଁ ସାମ୍ବାଦିକ ଯଦି ସତ୍ୟକୁ ସାମ୍ନାକୁ ଆଣିବ ନାହଁ ତାହେଲେ ଚତୁର୍ଥ ସ୍ତମ୍ଭର ଗାରୀମା ନଷ୍ଟ ହେଇଯିବ। ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ନାହଁ । ଭବିଷ୍ୟତରେ ସମ୍ବାଦପତ୍ର ସାଧାରଣ ଲୋକଙ୍କର ବିଶ୍ବାସ ହରାଇବ। ତେଣୁ ସମ୍ବାଦପତ୍ରର ସମସ୍ତ ଖବରର ସତ୍ୟ ଉପରେ ପର୍ଯ୍ୟବେସିତ ହେଲେ ସାଧାରଣ ଲୋକଙ୍କର ହୃଦୟ ଜୟ କରିଥାଏ।
ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଉପରେ ବିଶ୍ବାସ କରୁଥିଲେ । ସାମ୍ବାଦିକ ଯଦି ଜୀବନ ଓ ଯନ୍ତ୍ରଣା, ଶୋଷକ ଓ ଖାଦକର କଥା କହିବ ନାହଁ, ପତନମୁଖୀ ସମାଜର ଉତ୍ଥାନ ପାଇଁ ନିଃସ୍ୱାର୍ଥପର ଭାବେ ସେବା କରିବ ନାହଁ ତାହେଲେ ସାମ୍ବାଦିକତାର ଆନନ୍ଦ ବୁଝାପଡିବ ନାହଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ସମ୍ବାଦ ସରୋବରାହ ସଂସ୍ଥା । ଜୀବନର ଯେମିତି ଚାରି ସ୍ତମ୍ଭ ସମାଜର ମଧ୍ୟ ସେମିତି ଚାରି ସ୍ତମ୍ଭ । ଚାରି ସ୍ତମ୍ଭରୁ ଗୋଟିଏ ସ୍ତମ୍ଭ ଯଦି ଭୁଷିଡି ପଡିବ ଘର କ’ଣ ରହିବ ? ସମ୍ବାଦଦାତାମାନେ ପକ୍ଷପାତିତା ରହିତ, ମାନବୀୟ ମୂଲ୍ୟବୋଧ, ଉଦାରତା, ସତ୍ୟତା, ଓ ସମଦର୍ଶିତା ଭାବାପନ୍ନ ହେଇ ସମ୍ବାଦ ପରିବେଷଣ କଲେ ସର୍ବତ୍ର ପ୍ରଶଂସା ଭାଜନ ହେବେ। ଅନ୍ୟଥା ଗୋଟିଏ ପକ୍ଷର, ଗୋଟିଏ ଗୋଷ୍ଠୀର, ଗୋଟିଏ ଦଳର ହେଇଯିବେ। ସେଥିପାଇଁ ପ୍ରଦ୍ୟୁମ୍ନ ବଳ କହିଥିଲେ- “ଲେଖିବା ବା ଗାରେଇବାରେ ପ୍ରଭେଦ ଅଛି। ମସ୍ତିଷ୍କରୁ ଝାଳ ନ ବହିଲେ ସାମ୍ବାଦିକତାର ମାନେ କିଛି ନଥାଏ”। ଲେଖିବାରେ ଯେଉଁ ନିର୍ଭିକତା ଥାଏ ଗାରେଇବାରେ ନଥାଏ। ଗାରେଇଦେବା ସାଧାରଣ କଥା କିନ୍ତୁ ଲେଖିବା ସହଜ କଥା ନୁହେଁ। ଲେଖିବା ପାଇଁ ସାହସ ଦରକାର। ଲେଖି ସାରିଲା ପରେ ଯେଉଁ ବାଧାବିଘ୍ନ ଆସିବ ତାକୁ ଅତିକ୍ରମ କରିବାକୁ ଶକ୍ତି ଦରକାର ହୋଇଥାଏ। ଯିଏ ଲେଖେ ସିଏ ହଁ ଜାଣେ ସାମ୍ବାଦିକତା ବୃତ୍ତି କେତେ ସହଜ କି କେତେ ଜଟିଳ। ତେଣୁ ତ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ସବୁ ସମୟର ଏକ ଆହ୍ବାନ ଅଟେ ।
ନିରପେକ୍ଷ ସାମ୍ବାଦିକତା ଉପରେ ବିଶ୍ବାସ ରଖୁଥିଲେ ପ୍ରଦ୍ୟୁମ୍ନ ବଳ। ପକ୍ଷପାତିତା ସମ୍ବଳିତ ଖବର ପରିବେଷଣ ସାମ୍ବାଦିକର ସମ୍ମାନ ଉପରେ ଆଞ୍ଚ ଆସିଥାଏ। ଏମିତି ସମ୍ବାଦଦାତା ବା ସମ୍ବାଦପତ୍ରକୁ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖନ୍ତି ସମସ୍ତେ। ଥରେ ଯଦି ଜନସାଧାରଣ ଜାଣିଲେ ଏହି ସମ୍ବାଦଦାତା ଉତ୍କୋଚ, ପ୍ରଲୋଭନର ବଶବର୍ତ୍ତୀ ହୋଇ ସମ୍ବାଦର ମୋଡ଼ ବଦଲେଇ ଦିଅନ୍ତି ତାହେଲେ ଲୋକଙ୍କ ହୃଦୟରେ ଆପଣ ବସାବାନ୍ଧି ପାରିବେ ନାହଁ। ଏହି ସବୁ କରିବା ପଛରେ ରହିଥାଏ ବଞ୍ଚିବାର ଲୋଭ। ପ୍ରଦ୍ୟୁମ୍ନ ବଳ କହନ୍ତି -”ମଣିଷର ସବୁଠାରୁ ବଡ଼ ଦାସତ୍ୱ ହେଲା ବଞ୍ଚିବାର ଲୋଭ “। ବଞ୍ଚିବାର ଲୋଭ ଥାଏ ବୋଲି ମଣିଷ ପଣିଆକୁ ବିକ୍ରି କରିଦେଇଥାଏ। ବଞ୍ଚିବା ପାଇଁ ବ୍ୟକ୍ତି ଯାହା ମଧ୍ୟ କରିଦେଉଛି। ମାନବିକତା ପରି ମହାନ୍ ଗୁଣ, ନିର୍ଭିକତା, ବିତର୍କ କରିବାର ସବୁକିଛି ହରାଇ ବସୁଛି। ନିଜର ନିଜତ୍ବକୁ ମଧ୍ୟ କ୍ଷମତା, ସଂପତ୍ତି ପାଇବା ଲୋଭରେ ସମର୍ପି ଦେଉଛି ଅନ୍ୟ ହାତକୁ। ପ୍ରଦ୍ୟୁମ୍ନ ବଳ ଏହି ପରି ପ୍ରତାରଣ ମୂଳକ କାର୍ଯ୍ୟକୁ ଘୃଣା କରୁଥିଲେ। ବିନା ସାଲିସ, ବିନା ତେଲ ମାଲିଶ୍ ରେ ଆଗକୁ ବଢିବାର ଧୈର୍ଯ୍ୟ ଓ ସମ୍ଭାବନା ସୃଷ୍ଟି କରୁଥିଲେ।
ଆଜିର ସମୟରେ ସାମ୍ବାଦିକତା କରୁଥିବା ମହାନୁଭବମାନେ ତାଙ୍କ ମହନୀୟ କାର୍ଯ୍ୟକୁ ଅନୁସରଣ କରିବାର ଆବଶ୍ୟକତା ରହିଛି। ସେ ସଦାସର୍ବଦା ନିର୍ଭିକ, ନିରପେକ୍ଷ, ପକ୍ଷପାତିତା ରହିତ ସମ୍ବାଦ ପରିବେଷଣ କରି ମାନବବାଦର ସ୍ବର ହେଇ ରହିଥିଲେ। ତାଙ୍କ କଥାରେ, ମଥାରେ, ଲେଖାରେ ସ୍ବର ହୀନଙ୍କର ସ୍ବର ହେଇ ସାରା ଜୀବନ ବଞ୍ଚିଥିଲେ। ସମ୍ବାଦଦାତାମାନେ ତାଙ୍କର ଜୀବନ ଦର୍ଶନ, ତାଙ୍କର ପଦାଙ୍କ ଅନୁସରଣ, ତାଙ୍କର ଶଦ୍ଦକୁ ଅନ୍ତ ସ୍ଵର କଲେ ନିଶ୍ଚିତ ଚତୁର୍ଥ ସ୍ତମ୍ଭର ଗାରୀମାକୁ ଉଜ୍ଜିବିତ ରଖିପାରିବେ। ଏହିପରି ଏକ ବିଜ୍ଞ, ପ୍ରାଜ୍ଞ, ନିଷ୍ଠାବାନ, ଧର୍ଯ୍ୟବାନ, ପରୋପକାରୀ, ପରହୀତକାରୀ, ନିରପେକ୍ଷ, ନିରଳସ ସାଧକଙ୍କ ଜୀବନ ଦର୍ଶନ ସବୁ କାଳଖଣ୍ଡରେ ସମସ୍ତଙ୍କୁ ପ୍ରେରିତ କରୁଥିବ।





