ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ପଣ୍ଡକାମାଲ ଗ୍ରାମ ପଞ୍ଚାୟତ ଅଧୀନ ତୁଜୁଙ୍ଗ ହାଇସ୍କୁଲର ଢେକୁନକୁପା ଖେଳ ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ବାର୍ଷିକ କ୍ରୀଡ଼ା ମହୋତ୍ସବ। ପଣ୍ଡକାମାଲ ସରପଞ୍ଚ ରୀନା ସାହୁ ସ୍ଥାନୀୟ ତାରିଣୀ ପୀଠରୁ ମଶାଲ ଶୋଭାଯାତ୍ରାରେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। କ୍ରୀଡ଼ା ପ୍ରତଯୋଗିତାର ଆରମ୍ଭ ଘୋଷଣା କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ଦିବାକର ସାହୁ ଛାତ୍ର ଛାତ୍ରୀ ମାନଙ୍କର ପ୍ୟାରେଡ ଅଭିବାଦନ ଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଦୌଡ଼, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ସଟ ପୁଟ, ଡିସ୍କସ, ଜାଭେଲିନ ଥ୍ରୋ ତଥା ବ୍ୟାୟାମ ଓ ପ୍ରାଣାୟାମ ଆଦି ନିୟମିତ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ଓ କନିଷ୍ଠ ବାଳକ ଓ ବାଳିକା ବିଭାଗରେ ଉପରୋକ୍ତ ଖେଳ ସବୁ ଅନୁଷ୍ଠିତ ହୋଇଥିବା ବେଳେ ଉପ କନିଷ୍ଠ ବିଭାଗରେ ଗଣିତ ଦୌଡ଼, ଜଳେବି ଖାଇବା, ମ୍ୟୁଜିକ ଚେୟାର ଆଦି ଖେଳ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ଶିକ୍ଷକ ହିମାଂଶୁ ଭୋଇ, ବିପିନ ବିହାରୀ ସୁନା, ରାଧାନାଥ ଦିଶ୍ରି, ଧ୍ରୁବ ମହାଖୁଡ, ଓ ଶିକ୍ଷୟିତ୍ରୀ କବିତା ପଧାନ, ରାଜଶ୍ରୀ ସେଠ୍ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ମାସ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ।





