ଅଧ୍ୟାପିକା ନୀହାରିକ ଦାସ ସ୍ମୃତି ନ୍ୟାସ ତରଫରୁ ଅନୁଷ୍ଠିତ ହେଲା ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ସମ୍ମାନ ପ୍ରଦାନ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଟକ (କୃଷ୍ଣ କୁମାର ମହାନ୍ତି): ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ସତ୍ତ୍ବେ ପ୍ରୁଫ୍-ସଂଶୋଧନ ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ ଓଡ଼ିଆ ଭାଷାରେ ନିର୍ଭୁଲ ଭାବରେ ପ୍ରକାଶିତ ପୁସ୍ତକ ଦୃଷ୍ଟିଗୋଚର ହେଉନାହିଁ। ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଥିବା ନାମଫଳକ ଏବଂ ସଭା ଓ ଶୋଭାଯାତ୍ରାରେ ବ୍ୟବହୃତ ବ୍ୟାନରରେ ମଧ୍ୟ ବର୍ଣ୍ଣାଶୁଦ୍ଧି ପରିଲକ୍ଷିତ ହେଉଛି। ଓଡ଼ିଆ ଭାଷାକୁ ତ୍ରୁଟିଶୂନ୍ୟ କରିବାକୁ ହେଲେ ପ୍ରୁଫ୍-ସଂଶୋଧନର ଗୁରୁତ୍ୱ ସମାଜ ଆଗରେ ଉପସ୍ଥାପନ କରିବା ଆବଶ୍ୟକ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଅଧ୍ୟାପିକା ନୀହାରିକ ଦାସ ସ୍ମୃତି ନ୍ୟାସ ତରଫରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧି ଭବନ ଠାରେ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକଙ୍କୁ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ଡକ୍ଟର ଶଚୀନ୍ଦ୍ର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର କମଳ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଓ ସ୍ବନାମଧନ୍ୟ ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ଚଳିତବର୍ଷ ପାଇଁ ଭୁବନେଶ୍ୱରର ପ୍ରଭାତ ରଞ୍ଜନ ବେହୁରା ଓ ରାଉରକେଲାର ବିରଞ୍ଚି ନାରାୟଣ ମିଶ୍ରଙ୍କୁ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ଭାବରେ ଅର୍ଥରାଶି ସହ ସମ୍ମାନିତ କରା ଯାଇଥିଲା। ଡକ୍ଟର ନାରାୟଣ ମହାନ୍ତି ପ୍ରାରମ୍ଭିକ ସୂଚନା, ଡକ୍ଟର ବନଜ କୁମାର ବିଶ୍ବାଳ ଅତିଥି ପରିଚୟ ଓ ଡକ୍ଟର ବିଭୂଦତ୍ତ ଖଣ୍ଡାୟତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫେସର ଦିନେଶ ପଟ୍ଟନାୟକ, ପ୍ରଫେସର ଶିବବ୍ରତ ଦାସ, ଡକ୍ଟର ବିଜୟ ଭୂଷଣ ଆଚାର୍ଯ୍ୟ, ଡକ୍ଟର ଚିତ୍ତରଞ୍ଜନ ପଣ୍ଡା, ଡକ୍ଟର ସରୋଜ କୁମାର ଦାସ, ଡକ୍ଟର ସୁନାମଣି ରାଉତ, ଡକ୍ଟର ସଚ୍ଚିଦାନନ୍ଦ, ଆଡ଼ଭୋକେଟ ସର୍ବେଶ୍ୱର ବେହେରା, ‘ରାଷ୍ଟ୍ରଦୀପ’ର ପ୍ରକାଶକ ବିପିନ ବିହାରୀ ରାଉତ, ପୂର୍ବତନ ସମ୍ପାଦକ ଜଗବନ୍ଧୁ ମିଶ୍ର, ବିଜେପି ନେତା ସଜ୍ଜନ କୁମାର ଶର୍ମା, ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି, ନନ୍ଦିନୀ ମାନସିଂହ, ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ, ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସ୍ମୃତି ନ୍ୟାସ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ ଓ ଶିକ୍ଷାବିତ୍ ତୁଷାରକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.