ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ସନ୍ଧ୍ୟା ହେଲେ ଏମାନଙ୍କ ଭୟରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ଜଙ୍ଗଲରେ ନରହି ଗାଁ ମୁହାଁ ହୋଇ ଚାଷବାସ ନଷ୍ଟ କରିବା ସହିତ ଗରିବ ନିରିହ ଲୋକଙ୍କ ଘର ସବୁ ଭାଙ୍ଗୁଛନ୍ତି। ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ମୃତ୍ୟୁ ମୁଖରେ ପଡୁଛି, ତ ଆଉ କେତେବେଳେ ମଣିଷର ମୁଣ୍ଡ ଟଲି ପଡୁଛି। ସୋମବାର ଏଭଳି ଆଉ ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଦମାଘାଟି ଗାଁ ନିକଟରେ। ସୂଚନାଯୋଗ୍ୟ ଜୁବା ଜାମଚୁଆଁ ଗାଁର ଲଛମନ ସୁନା (୨୫) ତାଙ୍କ ସାଙ୍ଗ ଚନ୍ଦନ ବିଭାର(୧୮)ଙ୍କ ସହିତ ରାତି ୭ଘଣ୍ଟା ସମୟରେ ପାହାଡ଼ପଦର ଠାରୁ ଗାଁକୁ ଫେରୁଥିଲେ ହେଲେ ଦମାଘାଟି ନିକଟରେ ଏକ ହାତୀପଲ ସହିତ ସାମ୍ନା ସାମ୍ନି ହୋଇଥିଲେ। ହାତୀପଲକୁ ସାମ୍ନାରେ ଦେଖିବା ପରେ ଭୟଭୀତ ହୋଇ ଭାରସାମ୍ୟ ହରାଇ ରାସ୍ତା ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ରାସ୍ତାରେ ଲଛମନ ପଡିରହିଥିବା ବେଳେ ଆହତ ଚନ୍ଦନ ନିକଟସ୍ଥ ଗାଁକୁ ଯାଇ ଖବର ଦେଇଥିଲେ। ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଂଚି ଲଛମନକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ବନବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଲଛମନକୁ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। ଏହା ପରେ ବିଶ୍ଵନାଥପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରୁଥିବା ଡ଼ାକ୍ତର ଲଛମନର ଅବସ୍ଥା ଗୁରୁତର ଦେଖି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଲଛମନର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କାନରେ ବହୁତ ପରିମାଣରେ ରକ୍ତସ୍ରାବ ହେଉଥିବା ଜଣାପଡିଛି। ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ନ ଥିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।





