ଉଦ୍ଧାର କରିବା ପାଇଁ ବନ ବିଭାଗର ପ୍ରୟାସ ଜାରି
ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ର ଯଇଁତରା ସେକ୍ସନ ହୀରାପୁର ଗ୍ରାମ ନିକଟ ଜଙ୍ଗଲରେ ଏକ ହାତୀ ଛୁଆ ଅସୁସ୍ଥ ହୋଇପଡ଼ିଛି। ପ୍ରାୟ ୭ରୁ ୮ ବର୍ଷ ବୟସର ଏହି ହାତୀଛୁଆଟି ଗତ ୮ରୁ ୧୦ ଦିନ ହେଲା ଅସୁସ୍ଥ ଥିବାବେଳେ ବନ ବିଭାଗ ପକ୍ଷରୁ ଉଦ୍ଧାର ସହ ଚିକିତ୍ସା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକେ ହାତୀଛୁଆକୁ ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବଲାଙ୍ଗୀର ଡିଏଫଓ ଅଜିତ ବିଶିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଉଦ୍ଧାର କାର୍ଯ୍ୟରେ ବଲାଙ୍ଗୀର ବନଖଣ୍ଡ ସମେତ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏବଂ ଖଡ଼ିଆଳରୁ ଆସିଥିବା ରାପିଡ୍ ରେସପନ୍ସ ଟିମ୍ ସାମିଲ ହୋଇଛନ୍ତି। ଡିଏଫଓ ଶ୍ରୀ ବିଶିଙ୍କ କହିବା ଅନୁଯାୟୀ, ରବିବାର ଭୋର୍ ୪ଟାରୁ ବନ କର୍ମଚାରୀ ଓ ବିଶେଷଜ୍ଞ ହାତୀକୁ କାବୁ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜଙ୍ଗଲିଆ ଅଞ୍ଚଳ ଯୋଗୁଁ ଏଥିରେ କିଛିଟା ବାଧା ଉପୁଜିଛି। ହାତୀର ଚିକିତ୍ସା ପାଇଁ ମୁରିବାହାଲ, ନୂଆପଡ଼ା ଏବଂ ଖଡ଼ିଆଳରୁ ପ୍ରାଣୀ ଚିକିତ୍ସକଙ୍କୁ ମଧ୍ୟ ଡକାଯାଇଛି। ହାତୀଟି କେଉଁ କାରଣରୁ ଅସୁସ୍ଥ ହୋଇଛି ଚିକିତ୍ସା ପରେ ହିଁ ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।





