ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଅଙ୍ଗେ ନିଭାଇବା କଥା ଓ ଦେଖିଲା ଚାହିଁଲା କଥା ଭାବରେ ନିଜ ଗପ ଓ ଉପନ୍ୟାସକୁ ଦୁଇ ଭାଗରେ ବିଭକ୍ତ କରି ଓଡ଼ିଆ ସାହିତ୍ୟକୁ କଥା ରଚନାରେ ରୁଦ୍ଧିମନ୍ତ କରିଥିବା ନିବାରଣ ଜେନା ନିରବଚ୍ଛିନ୍ନ ଭାବରେ କଥା ସାହିତ ନୃତ୍ୟ ରଚନା କରି ତାଙ୍କର ଲେଖନୀକୁ ଉଜ୍ଜୀବିତ କରିଆସିଛନ୍ତି ବୋଲି ତାଙ୍କ ରଚିତ ‘ଉତ୍ତରାଧୀକାରୀ’ ଶୀର୍ଷକ ଉପନ୍ୟାସ ଉନ୍ମୋଚନ କରି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ସ୍ରଷ୍ଟା ନାଟ୍ୟାଳୟ ପରିସରରେ ଏକ ଉନ୍ମୋଚନ ଆସର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟବକ୍ତା ଭାବରେ ଡକ୍ଟର ଶିରୀଶ ଚନ୍ଦ୍ର ଜେନା। ପୁସ୍ତକ ସମ୍ପର୍କରେ ଗବେଷଣାତ୍ମକ ବକ୍ତବ୍ୟ ରଖି ରମାନାଥ ନାମକ ଜଣେ ନିଃସଙ୍ଗ ମଣିଷ ତାର ଜୀବନ କାଳକୁ କିପରି ବିତାଇଥିଲା ଓ ଆଜିର ମଣିଷକୁ ନିଃସଙ୍ଗତା କିପରି ବ୍ୟତିବ୍ୟସ୍ତ କରୁଛି ତାହା ପ୍ରକାଶ କରିଥିଲେ। ଦେବକାନ୍ତଗଂଗାବାରଣଦାସ ନାମରେ ବାଲେଶ୍ବରର ପଞ୍ଚସଖା ଯଥାକ୍ରମେ ଶ୍ରୀଦେବ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଗଂଗାଧର ବିଶ୍ଵାଳ, ନିବାରଣ ଜେନା ଓ ପ୍ରଶାନ୍ତ ଦାସ ଅତିଥି ଭାବରେ ଯୋଗଦେଇ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବକାଳ ଧରି ବୋହି ଆସୁଥିବା ସମ୍ପର୍କର ଗୁରୁତ୍ବ ବୁଝାଇ ଦେଇ ପାରସ୍ପରିକ ସହଯୋଗରେ ସେମାନେ ସାହିତ୍ୟର ସେବା କରି ଆସୁଛନ୍ତି ବୋଲି ପ୍ରକାଶ କରିଥିଲେ। ନିବାରଣ ଜେନାଙ୍କର ଉପନ୍ୟାସର କଳା ଓ କୌଶଳ ଆଦର୍ଶସ୍ଥାନୀୟ ଓ ଉତ୍ତରପିଢ଼ିଙ୍କୁ ନୂତନ ପଥ ଦେଖାଇବାର କ୍ଷମତା ରଖେ ବୋଲି ସେମାନେ ମତ ଦେଇଥିଲେ।
ଲେଖକୀୟ ବକ୍ତବ୍ୟରେ ନିବାରଣ ଜେନା ସେ କାହିଁକି କଥା ରଚନାରେ ହାତ ଦିଅନ୍ତି ବୋଲି ଉତ୍ତର ପ୍ରଦାନ କରିଥିଲେ। ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉନ୍ମୋଚନ ଉତ୍ସବରେ ଡକ୍ଟର ସୁବାସଚନ୍ଦ୍ର ପାତ୍ର, ଡକ୍ଟର ରମାକାନ୍ତ ନାୟକ, ଅରୁଣା ରାୟ, ଡକ୍ଟର ଭାଗବତ ପ୍ରସାଦ ଦାସ, ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ନାଟ୍ୟକାର ପ୍ରଦୀପ ମିଶ୍ର, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ତପନ ରାୟ, ଡକ୍ଟର କ୍ଷିତୀଶ୍ଵର ଦାସ, କଲ୍ୟାଣୀ ନନ୍ଦ, ଅର୍ଚ୍ଚନା ନନ୍ଦୀ, ଡକ୍ଟର ଲକ୍ଷ୍ମଣ ଚରଣ ବିଶ୍ବାଳ, ଗଗନ ଦଳେଇ, ତପନ କୁମାର ପଣ୍ଡା, ପଣ୍ଡିତ ସଂଜୟ କୁମାର ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କବି ସଂଜୟ ପଣ୍ଡା, ଫକୀରମୋହନ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ତଥା ବାଲେଶ୍ଵରର ବହୁ ବୁଦ୍ଧିଜୀବୀ ଯୋଗଦେଇ ନିବାରଣଙ୍କ ସାହିତ୍ୟର କ୍ରମୋନ୍ନତି କାମନା କରି କରିଥିଲେ।





