ପଖାଳକୁ ସ୍ୱତନ୍ତ୍ର ପରିଚୟ ଭାବେ ସ୍ୱୀକୃତି ଦେବାକୁ ସରକାରଙ୍କୁ କଲେ ଅନୁରୋଧ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପାରମ୍ପରିକ ଖାଦ୍ୟ ତଥା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ‘ପଖାଳ’କୁ ଜିଆଇ ମାନ୍ୟତା ପାଇଁ ବାଲେଶ୍ଵରରୁ ଉଠିଲା ଦାବି। ପୂର୍ବରୁ କଟକବାସୀ ଏବଂ ପରେ ଶ୍ରୀକ୍ଷେତ୍ର ପୁରୀରୁ ପଖାଳକୁ ଜିଆଇ ଟ୍ୟାଗ୍ ପାଇଁ ଦାବି ଉଠିଥିବା ବେଳେ ଏବେ ବାଲେଶ୍ଵରରୁ ମଧ୍ୟ ଏନେଇ ଦାବି ଜୋର୍ ଧରିଛି। ପଖାଳକୁ ସ୍ୱତନ୍ତ୍ର ପରିଚୟ ଭାବେ ସ୍ୱୀକୃତି ଦେବାକୁ ସରକାରଙ୍କୁ ଅନୁରୋଧ କଲେ ବାଲେଶ୍ଵର ବାୟୁସେନା ସଂଗଠନ। ବାଲେଶ୍ଵର ବାୟୁସେନା ସଂଗଠନ ପକ୍ଷରୁ ମେଘଡମ୍ବରୁ ଠାରେ ବିଳମ୍ବିତ ପଖାଳ ଦିବସ ପାଳନ ଅବସରରେ ଏପରି ମତପ୍ରକାଶ ପାଇଛି। ଏହି ସଂଗଠନରେ ବର୍ତ୍ତମାନ ୨୬୦ ଜଣ ସଭ୍ୟ ସଭ୍ୟାଙ୍କ ସହିତ ସେମାନଙ୍କ ପରିବାର ଲୋକଙ୍କୁ ମିଶାଇ ପ୍ରାୟ ପାଞ୍ଚ ଶହ ଜଣ ରହିଛନ୍ତି। ସମସ୍ତେ ଏହି ପଖାଳ ଦିବସ ପାଳନରେ ସାମିଲ ହୋଇଥିଲେ। ସଂଗଠନ ସଭାପତି ଶିବଦାସ କୁଣ୍ଡୁ, ରଘୁନାଥ ଜେନା, ରାଜକିଶୋର ଜେନା ପ୍ରମୁଖଙ୍କ ତତ୍ବାବଧାନରେ ଏହି ଦିବସ ଆୟୋଜିତ ହୋଇଥିଲା।
ବିଳମ୍ବ ରେ ପଖାଳ ଦିବସ ପାଳନ ସମ୍ପର୍କରେ ସଭାପତି ଦେବଦାସ କୁଣ୍ଡୁ ସୂଚନା ଦେଇ କହିଲେ ଯେ, ‘ପ୍ରକୃତରେ ପଖାଳ ଦିବସ ମାର୍ଚ୍ଚ ମାସ ୨୦ ତାରିଖରେ ପାଳିତ ହୋଇଥାଏ। ହେଲେ ଏଥର ନବରାତ୍ରୀ ଥିବାରୁ ଆମେ ଆଜି ଦିନରେ ପଖାଳ ଦିବସ ପାଳନ କରିବୁ ବୋଲି ନିଷ୍ପତ୍ତି ନେଇଥିଲୁ। ଉତ୍କଳ ପ୍ରଦେଶର ବଡ଼ ପରିଚୟ ହେଉଛି ପଖାଳ। ପଖାଳ ଏପରି ପାଗରେ ଦେହ ପାଇଁ ବହୁତ ଉପକାରୀ। ସେଥିପାଇଁ ଆମେ ଏହାକୁ ପ୍ରଚାର ପ୍ରସାର କରୁଛୁ। ପଖାଳ ସମସ୍ତଙ୍କ ପାଇଁ ଉପଯୋଗୀ ଏକ ଖାଦ୍ୟ। ଜଗନ୍ନାଥ ସଂସ୍କୃତିରେ ପଖାଳର ବର୍ଣ୍ଣନା ରହିଛି। ଦୁର୍ଭାଗ୍ୟବଶତଃ ଏହି ପଖାଳ ଏବେ ପଛକୁ ରହିଛି। ଏଥିପାଇଁ ଜିଆଇ ଟ୍ୟାଗ୍ ର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ଆମେ ଚେଷ୍ଟା କରିବା ସହିତ ସରକାରଙ୍କୁ ଅନୁରୋଧ କରୁଛୁ ଯେ ରାଜ୍ୟ ସ୍ତରରେ ଯେଉଁ ପ୍ରଶାସନିକ ଆବଶ୍ୟକତା ଅଛି ତାହାକୁ ପୂରଣ କରି ଜିଆଇ ଟ୍ୟାଗ ପାଇଁ ଚେଷ୍ଟା କରିବେ। “ପଖାଳ ଏକ ପୁଷ୍ଟିକର, ସ୍ବାସ୍ଥ୍ୟକର, ସମୟୋପଯୋଗୀ ଏବଂ ପାଣିପାଗ ଉପଯୋଗୀ ଖାଦ୍ୟ ହୋଇଥିବାରୁ ଆମେ ମଧ୍ୟ ପଖାଳ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଦାବି ଉଠାଉଛୁ” ବୋଲି ସମ୍ପାଦକ ମହେଶ୍ୱର ବେହେରା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।





