ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ୍ ପଡ଼ିଛନ୍ତି। ଯାହା ଫଳରେ କୋକସରା ବ୍ଳକ ସମେତ ଜୟପାଟଣା ଓ ଧର୍ମଗଡ଼ ବ୍ଳକ ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରସଙ୍ଗରେ ସୋମବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଧାନ ବିକ୍ରି ନିମନ୍ତେ ଅନଲାଇନ୍ ପଞ୍ଜିକରଣ ଖୋଲିବା ଓ ଅବଧି ବୃଦ୍ଧି କରିବା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଏହି ବିଭାଗର ମୁଖ୍ୟ ଶାସନ ସଚିବ ସଞ୍ଜୟ ସିଂଙ୍କୁ ମଧ୍ୟ ସାକ୍ଷାତ କରିଥିଲେ କୋକସରା ବ୍ଲକ ଉପାଧ୍ୟକ୍ଷ। ଏହି ସମୟରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ଚଳିତ ରବି ଋତୁରେ କୋକସରା ବ୍ଲକର ପ୍ରାୟ ୧୫ ଟି ପଞ୍ଚାୟତର ବିଭିନ୍ନ ଗାଁର ଚାଷୀମାନେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୯୮୩୨.୪୮ ହେକ୍ଟର ଜମିରେ ଧାନ ଚାଷ କରିଥିବା ସୂଚନା ରହିଛି। ତେବେ ଧାନ ବିକ୍ରି ନିମନ୍ତେ ଗତ ୧୦ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହୋଇଥିଲା। ଏଣେ ଉକ୍ତ ସମୟ ସୀମା ମଧ୍ୟରେ ପୋର୍ଟାଲ ଠିକ୍ ଭାବେ ଖୋଲି ନଥିବା ଓ ଉଠା ଜଳସେଚନ ବିକଳ୍ପ ଆସୁ ନଥିବାରୁ ଚାଷୀମାନେ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଏଣେ ଅସନ୍ତୋଷ ଚାଷୀ ମାନଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଥିବାବେଳେ ଚାଷୀମାନଙ୍କ ବୃହତ ସ୍ୱାର୍ଥକୁ ଦେଖି ଏକ ଦାବିପତ୍ର ବ୍ଳକ ଉପାଧ୍ୟକ୍ଷ ଶ୍ରୀଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରଦାନ କରିଛନ୍ତି।





