ଜଙ୍ଗଲରୁ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର 

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଧୀନ ଗୁଲମୀ ଜଙ୍ଗଲରୁ ଆଜି ଜଣେ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ମତେ ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ମୁରିବାହାଲ ବନ୍ୟାଞ୍ଚଳ ଅଧୀନ ଗୁଲମୀ ଜଙ୍ଗଲରେ ଏକ ମଣିଷର ଗଳିତ ଶବ ପଡ଼ିଥିବା ଦେଖିଥିଲେ । ଏହାପରେ ସେମାନେ ମୁରିବାହାଲ ଥାନା ପୋଲିସ୍ କୁ ସୂଚନା ଦେଇଥିଲେ । ସୂଚନା ପାଇ ମୁରିବାହାଲ ପୋଲିସ୍ ପକ୍ଷରୁ ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ସଂପୃକ୍ତ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଶବକୁ ଉଦ୍ଧାର କରିଥିଲେ । ତେବେ ପୋଲିସ ପକ୍ଷରୁ ଉଦ୍ଧାର ହୋଇଥିବା ଗଳିତ ଶବକୁ ଚିହ୍ନଟ କରାଯାଇଥିବା ବେଳେ ଉକ୍ତ ଶବଟି ହଳଦୀ ଗ୍ରାମ ପଞ୍ଚାୟତ ଅଧୀନ ଦାଢିଆପଦର୍ ଗାଁର ୮୦ ବର୍ଷୀୟ ବୃଦ୍ଧା ଦୁଳାରି ପୁଟେଲ୍ ଙ୍କ ବୋଲି ଜଣାପଡିଛି । ସେ ପିନ୍ଧିଥିବା ଏକ ରୁପା ଚେନ୍ ରୁ ତାଙ୍କ ସମ୍ପର୍କୀୟ ତାଙ୍କୁ ଚିହ୍ନଟ କରିଥିବା ନେଇ ମୁରିବାହାଲ ଆଇଆଇସି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ମୃତ ବୃଦ୍ଧା ଜଣକ ଗତ ୧୦ ତାରିଖରେ ମହୁଲ ଫୁଲ ଗୋଟାଇ ଯାଉଥିବା କହି ନିଜ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ । ତେବେ ଏନେଇ ନିଖୋଜ ଦିନ ମୃତ ବୃଦ୍ଧାଙ୍କ ପୁଅ ଗୋପୀ ପୁଟେଲ ତାଙ୍କ ମା’ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ମୃତ ବୃଦ୍ଧା ଦୁଳାରୀଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ଏନେଇ ମୁରିବାହାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ କେଉଁ କାରଣରୁ କିଭଲି ସ୍ଥିତିରେ ଦୁଳାରୀଙ୍କ ମୃତ୍ୟୁ ହେଲା ସେନେଇ ଅଧିକ ତଦନ୍ତ ଜାରି ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.