ଏୟାର ଫୋର୍ସ ଏସୋସିଏସନ୍ ଓଡିଶା ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର

ସମାଜସେବାରେ ଏୟାର ଫୋର୍ସ ଏସୋସିଏସନ୍ ଭୂମିକା ପ୍ରଶଂସନୀୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ଦିବସ ଅବସରରେ ଏୟାର ଫୋର୍ସ ଏସୋସିଏସନ୍ (AFA) ଓଡିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱରର ଗୌତମ ନଗରସ୍ଥିତ ଗ୍ରାଣ୍ଡ୍ ଗ୍ୟାଲାକ୍ସି ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ଏୟାର ଭେଟେରାନ୍ସ, ନଂ ୧ ଓଡିଶା ଏୟାର ସ୍କ୍ୱାଡ୍ରନ୍ ଏନସିସି କ୍ୟାଡେଟ୍ସ, ଆଇଟି ପ୍ରୋଫେସନାଲ୍ସ ଓ ବିଭିନ୍ନ ସେବାମୂଳକ ସଂଗଠନ (ଏନଜିଓ)ର ସଦସ୍ୟମାନେ ଉତ୍ସାହର ସହ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। ରକ୍ତ ସଂଗ୍ରହ ପ୍ରକ୍ରିୟାକୁ କ୍ୟାପିଟାଲ୍ ହସ୍ପିଟାଲ୍, ଭୁବନେଶ୍ୱରର ଚିକିତ୍ସକ ଓ ପାରାମେଡିକାଲ୍ ଟିମ୍ ସୁଚାରୁ ଭାବରେ ପରିଚାଳନା କରିଥିଲେ। ଏହା ସହିତ, କର୍ ଭିଜନ୍ ଆଇ ହସ୍ପିଟାଲ୍ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନେକ ଲୋକ ଲାଭାନ୍ବିତ ହୋଇଥିଲେ। ଆବଶ୍ୟକ ଲୋକଙ୍କୁ ମାଗଣାରେ ପଢ଼ିବା ଚଷମା ମଧ୍ୟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମଟିର ସୁଚାରୁ ପରିଚାଳନାରେ ଏୟାର ଫୋର୍ସ ଏସୋସିଏସନ୍ ଓଡିଶାର ‘ସାଙ୍ଗିନୀ’ (ମହିଳା ଶାଖା) ଓ ଏୟାର ଭେଟେରାନ୍ସ ମାନେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେଇ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ। ଏହି ସମାଜସେବାମୂଳକ ପଦକ୍ଷେପ ମାଧ୍ୟମରେ ସମାଜରେ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ପାଇଥିବା ସହ ଲୋକମାନଙ୍କୁ ସେବାମୂଳକ କାର୍ଯ୍ୟରେ ଆଗୁଆ ହେବାକୁ ପ୍ରେରଣା ମିଳିପାରିଛି ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.