୭ ମାସ ହେଲା କାମ ବନ୍ଦ, ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଳକ ଲାଞ୍ଜିଗଡଠାରେ ଥିବା ସମବାୟ ସମିତି(ଲ୍ୟାମ୍ପସ)ର ପାଚେରୀ ଓ କୋଠା କାମରେ ଅନିୟମିତତା ଦେଖାଦେଇଛି। କାମ ଆରମ୍ଭ କରି ୭ ମାସ ହେଲା ବନ୍ଦ କରିଛି ଠିକାଦାର। ନିମ୍ନ ମାନର କାମ ଯୋଗୁଁ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟ ଯେ,ଲାଞ୍ଜିଗଡଠାରେ ଥିବା ସମବାୟ ସମିତି(ଲ୍ୟାମ୍ପସ)ର ଅଫିସ କାର୍ଯ୍ୟାଳୟଟି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହି ଲାଞ୍ଜିଗଡ ସମବାୟ ସମିତି ଉପରେ ଲାଞ୍ଜିଗଡ,ବସନ୍ତପଡା,ଛତ୍ରପୁର, ବାତେ ଲିମା, ଜଗନ୍ନାଥପୁର ଓ ତ୍ରିଲୋଚନପୁର ୬ ଗୋଟି ପଞ୍ଚାୟତର ହଜାର ହଜାର ଚାଷୀ ନିର୍ଭର କରିଥାନ୍ତି। ସମବାୟ ସମିତିର ଅଫିସ ଟି ଆଜବେଷ୍ଟ ଘର ରହିଥିବା ବେଳେ ତାହା ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।ଆଜିକୁ ୧୫ ବର୍ଷ ତଳେ ନିଜସ୍ଵ ଗୋଦାମ ଘର ନିର୍ମାଣ ହୋଇଥିବା ବେଳେ ପୂର୍ବ କର୍ମଚାରୀଙ୍କ ମନମାନି ଯୋଗୁଁ ନିମ୍ନ ମାନର କାମ ସାଙ୍ଗକୁ ଖାଲୁଆ ସ୍ଥାନରେ ନିର୍ମାଣ ହୋଇଥିଲା।ଯାହାକି ବର୍ଷା ଦିନରେ ଗୋଦାମ ଭିତରେ ୪ ଫୁଟ ପାଣି ଜମା ହେଉଛି।ଗୋଦାମ ଘରେ ସାର କିମ୍ବା ଧାନ ରଖିଲେ ବାରମ୍ବାର ନଷ୍ଟ ହେଉଥିବା ଚିତ୍ର ଦେଖିବାକୁ ମିଳୁଛି। ପ୍ରଥମରୁ ସମବାୟ ସମିତି କାର୍ଯ୍ୟାଳୟରେ ପାଚେରୀ ନଥିବା ଯୋଗୁଁ ଗାଈଗୋରୁ ଭିତରକୁ ପସି ଆସୁଛନ୍ତି। ଯାହା ଫଳରେ ଧାନ ମଣ୍ଡି ସମୟରେ ଚାଷୀଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ବାହାରେ ରହୁଥିବା ବେଳେ ଗାଈଗୋରୁ ନଷ୍ଟ କରୁଥିବା ପ୍ରତି ବର୍ଷ ଚାଷୀ ଅଭିଯୋଗ କରି ଆସୁଛନ୍ତି। ଏଭଳି ଅବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ଏହାକୁ ଦୃଷ୍ଟିରେ ରଖି ସମବାୟ ସମିତି(ଲ୍ୟାମ୍ପସ)ର ପାଚେରୀ, କୋଠା ଓ ୨ ଗୋଟି ସେଡ ନିର୍ମାଣ ପାଇଁ ୨୦୨୫ରେ ଅନୁମତି ମିଳିଥିଲା। ଯାହାଦ୍ୱାରା ଚାଷୀଙ୍କ ବିଭିନ୍ନ ଅସୁବିଧା ଦୂର ହୋଇ ପାରିବ। ଏହାପରେ ଏହି କାମକୁ ଭବାନୀପାଟଣା ଜଣେ ଠିକାଦାର ଦାଇତ୍ଵ ନେଇଥିବା ବେଳେ ଏହି କାମ ପାଇଁ ୭୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରହିଛି। ପ୍ରଥମେ ସେପ୍ଟେମ୍ବର ମାସରେ କାମ ଆରମ୍ଭ କରି ପାଚେରୀ ଫାଉଣ୍ଡେସନ କରି ଲୁହା ଛଡ଼ ଠିଆ ହୋଇଛି। ସେହିପରି କୋଠା ନିର୍ମାଣ ପାଇଁ ମଧ୍ୟ ଫାଉଣ୍ଡେସନ କରି ଲୁହା ଛଡ଼ ଠିଆ ହୋଇଛି।କିନ୍ତୁ ଏଥିରେ କମ ପରିମାଣରେ ସେମେଣ୍ଟ ସହ ଆବଶ୍ୟକ ଅନୁସାରେ ପାଣି କ୍ୱିରିଂ ହୋଇନାହିଁ। କାମ ଆରମ୍ଭ କରି ୭ ମାସ ହେଲା ବନ୍ଦ କରିଛି ଠିକାଦାର। ନିମ୍ନ ମାନର କାମ ଯୋଗୁଁ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବ୍ୟତୀତ କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ଦାଇତ୍ୱରେ ଥିବା କର୍ମଚାରୀ ମାନେ ନିଜ ମନ ଇଚ୍ଛାରେ କାମ କରିବା ସହ ନିମ୍ନ ମାନର ଓ କାମ ବିଳମ୍ବିତ ହେଉଥିବାରୁ ଆଉ ଦୁଇ ମାସ ପରେ ବର୍ଷା ଦିନ କିପରି କାମ ହେବ ବୋଲି ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ଲାଞ୍ଜିଗଡ ସମବାୟ ସମିତି କର୍ମଚାରୀଙ୍କୁ ପଚାରିବାରୁ କାମ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି। ଆମେ ମଧ୍ୟ ଶୀଘ୍ର କରିବା ପାଇଁ ଠିକାଦାରଙ୍କୁ କହିଛୁ ବୋଲି ପ୍ରକାଶ କରିଛନ୍ତି।





