ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ସହରର ଫାୟାର ଷ୍ଟେସନ ନିକଟରେ ରହୁଥିବା ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ ଘଟଣାରେ ରାୟଗଡା ପୁଲିସ ଜଣେ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରି ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ରଜନୀରାଣୀ ସେଠୀ ଓରଫ ରୋଜୀ ରାଜେଶ ସେଠୀ ଓରଫ ରାଜା, ଦେବାଶିଷ ପାଢ଼ୀ, ଜଶୋବନ୍ତ ନାୟକ ଓରଫ ଜେଶୁ ଓ ହରେଶ ରତ୍ନାଲୁ I ସୂଚନାରୁ ଜଣାପଡିଛି ରାୟଗଡା ପୂର୍ତ୍ତ ବିଭାଗରେ କାର୍ଯ୍ୟ କରୁଥିବା ବସନ୍ତ କୁମାର ମିଶ୍ରଙ୍କୁ ଗତ ମାସ ୧୨ତାରିଖ ରାତିରେ ଜଣେ ମହିଳାଙ୍କ ସମେତ ୫ ଯୁବକ ହାତରେ ବନ୍ଧୁକ ଛୁରୀ ଆଦି ମାରଣାସ୍ତ୍ର ଧରି ଯୋର ଜବରଦସ୍ତି ପଶିଥିଲେ I ରାତି ୧୧ଟା ରେ ଘରେ ପଶି ସକାଳ ୫ଟା ଯାଏଁ ଦୁର୍ବୁତ୍ତ ମାନେ ବସନ୍ତଙ୍କୁ ନିର୍ମମ ଭାବେ ମାରପିଟ କରିଥିଲେ । ଦୁର୍ବୁତ୍ତ ମାନେ ସୁନା ଚେନ, ମୁଦୀ, ଘରୋଇ ଆସବାପତ୍ର, ବାଇକ ଲୁଟି ନେଇଥିବା ଏବଂ କିଛି ଆସବାପତ୍ର ଦୁର୍ବୁତ୍ତ ମାନେ ଭାଙ୍ଗିଦେଇଥିବା ନେଇ ଶ୍ରୀ ମିଶ୍ର ଥାନାରେ ଏତଲା ଦେଇଥିଲେ । ଏପରକି ଦୁର୍ବୁତ୍ତ ମାନେ ତାଙ୍କ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆକାଂଉଣ୍ଟ ର ଟଙ୍କା ଉଠାଣ ଫର୍ମ ସନ୍ତକ କରିନେଇଥିବା ସହ ବନ୍ଧୁକ ମୁନରେ ଦୁର୍ବୁତ୍ତ ମାନେ ତାଙ୍କ ଫୋନ ପେ ଆକାଂଉଣ୍ଟ ରୁ ୧୧ ହଜାର ଟଙ୍କା ମଧ୍ୟ ଟ୍ରାନ୍ସଫର କରିନେଇଥିଲେ ବୋଲି ଶ୍ରୀ ମିଶ୍ର ଅଭିଯୋଗ କିରଥିଲେ । ୬ ଘଣ୍ଟା ଧରି ଦୁର୍ବୁତ୍ତ ମାନେ ରାତିରେ ବସନ୍ତଙ୍କୁ ହାତ ଗୋଡ ବାନ୍ଧି ମାରପିଟ କରି ଶାରୀରିକ ଯନ୍ତ୍ରଣା ଦେବା ସହ ଲୁଟ କରିଥିଲେ I ଦୁର୍ବୁତ୍ତ ମାନେ ସକାଳୁ ବାହାର ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲେ I ସକାଳୁ ଶ୍ରୀ ବସନ୍ତ ଘଂଟାଏ ଧରି ପାଟି କରିବା ପରେ ସାହି ପଡିଶା ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ I ପୁଲିସ ଘଟଣାରେ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନଙ୍କ ଠାରୁ ଗୋଟିଏ ଗ୍ୟାସ ସିଲିଣ୍ଡର, ଗୋଟଏ ଗ୍ରାଇଣ୍ଡର, ଦୁଇଟି ସାଉଣ୍ଡ ସ୍ପିକର, ରାଇସ କୁକର, ଇଲେକ୍ଟ୍ରିକ କେଟଲି ଏବଂ ଗୋଟିଏ ୱାଟର ବୋତଲ ଜବତ କରିଥିବା ପୁଲିସ ଗଣମାଧ୍ୟମକୁ ପ୍ରେସବାର୍ତାରେ ସୂଚନା ଦେଇଛି । ଗିରଫ ବ୍ୟକ୍ତି ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ।





