ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ରାଜ୍ୟ ସରକାର’ଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି ପକ୍ଷ ପାଳନ’ର ପଞ୍ଚମ ଦିନରେ ଜିଲ୍ଲାସ୍ତରୀୟ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରୁ ଗଣଦୌଡ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ସହର ଉପକଣ୍ଠସ୍ଥରେ ଥିବା ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ କ୍ଷେତ୍ର ବି.ଏନ୍. ପେଲେସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଗଣଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଐତିହ୍ୟ ଓ ଭାଷା ସମ୍ପର୍କରେ ଜନସାଧାରଣ ଓ ଯୁବପିଢୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗା , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ ଏବଂ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଅତିଥି ମାନଙ୍କ ସମେତ ବହୁ ସଂଖ୍ୟାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ , ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ , କ୍ରୀଡା ଶିକ୍ଷକ , ଏନସିସି: କ୍ୟାଡେଟ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କ୍ରୀଡ଼ାପ୍ରେମୀ ମାନେ ଏହି ଗଣଦୌଡ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଓଡ଼ିଶା ଭାଷା , ସାହିତ୍ୟ , ସଂସ୍କୃତି ଓ ଐତିହ୍ୟ ସମୃଦ୍ଧ ଓ ରାଜ୍ୟ ସରକାର’ଙ୍କ ଆହ୍ଵାନ କ୍ରମେ ଏହି ପକ୍ଷ ପାଳନ କାର୍ଯ୍ୟକ୍ରମ ଚଳିତ ମାସ ଅପ୍ରେଲ ୧ ତାରିଖ ଠାରୁ ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ କରାଯାଉଛି।


ମୁଖ୍ୟତଃ ଯୁବପିଢୀ ଓ ଜନସାଧାରଣ ମଧ୍ୟରେ ଓଡ଼ିଶାର ଐତିହ୍ୟ ଏବଂ ସଂସ୍କୃତିର ପ୍ରତି ଗର୍ବ ସୃଷ୍ଟି କରିବା , ଜିଲ୍ଲା ଓ ରାଜ୍ୟର ସାଂସ୍କୃତିକ ଓ ବିବିଧତା’କୁ ପାଳନ କରିବା ସହ ଏହି ଗଣ ଦୌଡ଼ ଦ୍ଵାରା ଯୁବକ ଯୁବତୀ ମାନଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥ ତାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମରେ ଆଭିମୁଖ୍ୟ। ବି:ଏନ: ପେଲେସ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ସମାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଶାରୀରିକ ଡ୍ରିଲ , ସଚେତନତା ସଭା ଏବଂ ସମଲେଇ ନୃତ୍ୟ କଳା ପରିଷଦ’ର କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.