କୁଳଡିହା ପାଇଁ ସଚେତନତା ସୃଷ୍ଟିରେ ଏକାଠି ହେଲେ କବି, ଲେଖକ ଓ ପରିବେଶପ୍ରେମୀ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର କୁଳଡିହାର ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ଗଠିତ ସାଂସ୍କୃତିକ ସଚେତନଧର୍ମୀ ମଞ୍ଚ ‘ମୁଁ କୁଳଡିହା କହୁଛି’ର ପ୍ରଥମ ଅଧିବେଶନ ସ୍ଥାନୀୟ ସିଆଡ଼ିମାଳର କୁମ୍ଭକ୍ଷେତ୍ର ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ପରିବେଶପ୍ରେମୀ ବାମନ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ।
ଏହି ଅଧିବେଶନରେ ବିନୋଦ ବିହାରୀ ପଣ୍ଡା, ସୁବାସିନୀ ଜୀ, ସୁଶାନ୍ତ ମହାପାତ୍ର, ଚିତ୍ତରଞ୍ଜନ ପତି, ଶିବସୁନ୍ଦର ସାହୁ, ମାଳତୀ ଧଳ, ଯୁବ ଚିତ୍ରଶିଳ୍ପୀ ଦିବ୍ୟ ପ୍ରକାଶ ପରିଡ଼ା, ରଞ୍ଜନ କୁମାର ସେଠୀ, କ୍ରିଷ୍ଣା ନାଥ, ତପନ କୁମାର ମିଶ୍ର, ରୂପମ କର, ଦେବାଶିଷ ଭଞ୍ଜ, ନୀଳାଦ୍ରି ବେହେରା ଓ ଚନ୍ଦନ ସାହୁ ପ୍ରମୁଖ କବି, ଲେଖକ, ଶିଳ୍ପୀ, ସମାଜସେବୀ ଓ ପରିବେଶପ୍ରେମୀମାନେ ଯୋଗ ଦେଇ କୁଳଡିହାର ସୁରକ୍ଷା ଓ ପ୍ରଚାର ପାଇଁ ଏକ ଯୋଜନାତ୍ମକ ରୂପରେଖ ପ୍ରସ୍ତୁତ କରିଥିଲେ।
କୁଳଡିହାର ପ୍ରାକୃତିକ ଗୌରବକୁ ଉଜାଗର କରିବା ସହ ତାହାର ସୁରକ୍ଷା ପାଇଁ ସଚେତନତା ଗଢ଼ି ତୋଳିବା ନିମନ୍ତେ କୁଳଡିହା ଚାରିପାଖରେ ଥିବା ଗ୍ରାମବାସୀ ଓ ଅନୁଷ୍ଠାନପ୍ରେମୀମାନଙ୍କୁ ସଂଗଠିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏଥିପାଇଁ ସର୍ବସମ୍ମତିକ୍ରମେ ଶିଳ୍ପୀ କେଶୁ ଦାସଙ୍କୁ ଆବାହକ, ବାମନ ଚନ୍ଦ୍ର ମହାନ୍ତିଙ୍କୁ ସଭାପତି, ଚିତ୍ତରଞ୍ଜନ ପତିଙ୍କୁ ସମ୍ପାଦକ ଓ ଦିବ୍ୟ ପ୍ରକାଶ ପରିଡ଼ାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।
ଏହାସହ ପ୍ରତି ପଞ୍ଚମ ପାଳି ରବିବାର କୁଳଡିହାର ବିଭିନ୍ନ ସ୍ଥାନରେ ସାହିତ୍ୟ–ସାଂସ୍କୃତିକ ଭିତ୍ତିରେ ସଚେତନତାଧର୍ମୀ କର୍ମଶାଳା ଆୟୋଜନ କରାଯିବାକୁ ସ୍ଥିର ହୋଇଥିବା ବେଳେ ଆଗାମୀ କର୍ମଶାଳା ମଇ ୩୧ ତାରିଖରେ ଔପଦା ବଜାରରେ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି।
ଅଧିବେଶନରେ କବି ପ୍ରଭାକର ସାହୁ, ସୁବାସିନୀ ଜୀ, ମାଳତୀ ଧଳ ଓ ଶିବସୁନ୍ଦର ସାହୁ କୁଳଡିହା ଆଧାରିତ କବିତା ପାଠ କରିଥିଲେ। ଶିଳ୍ପୀ କେଶୁ ଦାସ ଓ ଦିବ୍ୟ ପ୍ରକାଶ ପରିଡ଼ାଙ୍କ ଲାଇଭ୍ ସ୍କେଚ୍ ପ୍ରଦର୍ଶନ ମଧ୍ୟ ଉପସ୍ଥିତ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। କବି ସୁଧାକର ସେଠୀଙ୍କ ରଚିତ ‘ତୁ କୁଳଡିହା ରାଣୀ’ ଗୀତ ମଧ୍ୟ ସମସ୍ତଙ୍କୁ ମନମୁଗ୍ଧ କରିଥିଲା। ସଭାପତି ବାମନ ଚନ୍ଦ୍ର ମହାନ୍ତି ଆଗାମୀ ଅଧିବେଶନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆଶା କରିଥିବା ବେଳେ ଶେଷରେ ଶିଳ୍ପୀ କେଶୁ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।





