ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଜିଲ୍ଲା ପ୍ରଶାସନ ଗଜପତି ପକ୍ଷ’ରୁ ଷଷ୍ଠ ଦିନରେ ଓଡ଼ିଆ ପକ୍ଷ-୨୦୨୬ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଦେବାଳୟ ,ଐତିହ୍ୟ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଐତିହ୍ୟ ସ୍ଥଳୀ , ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଯଥା :- ମହେନ୍ଦ୍ରଗିରି ଶୈବ-ପୀଠ ସମେତ ଗୁଦୁଗୁଦା ,ଖସଡ଼ା , ଗଣ୍ଡାହାତୀ ଓ ମାଙ୍କଡ଼ଡିଆ ଜଳପ୍ରପାତ , ଦେବଗିରି ଓ ବି.ଏନ୍. ପେଲେସ ଓ ସମସ୍ତ ବ୍ଲକ ଓ ପଞ୍ଚାୟତ ଗୁଡିକରେ ଥିବା ସମସ୍ତ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ପକ୍ଷ ପାଳନ ଅବସରରେ ଆଜି ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରେ ଥିବା ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର ବି.ଏନ୍.ପେଲେସ (ବୃନ୍ଦାବନ ପ୍ୟାଲେସ) ଠାରେ ସ୍ବଚ୍ଛତା ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ପାରଳା ପୌର ପରିଷଦ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏବଂ ପୌର ପରିଷଦ ପକ୍ଷରୁ ବହୁ ଅଧିକାରୀ ଓ କର୍ମଚାରୀଙ୍କ ସମେତ କାଉନସିଲର ମାନେ ସାମିଲ ଥିଲେ । ସମସ୍ତେ ପ୍ୟାଲେସ’ର ବିଭିନ୍ନ ଠାରେ ଆବର୍ଜନା ହୋଇ ପଡ଼ି ରହିଥିବା ରାସ୍ତା ଓ ପରିସରରେ ଥିବା ପାର୍କ ଏବଂ ମନ୍ଦିର ପରିସରରେ ଝାଡୁ ମାରିବା ସହ କିଛି ଲଟା ବୁଦା ମଧ୍ୟ ସଫେଇ କରିଥିଲେ । ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ସମେତ ଦେବାଳୟ ଗୁଡ଼ିକ ଅଳିଆ ଆବର୍ଜନା ନ କରି ସବୁବେଳେ ସଫା ରଖିବା ଦିଗରେ ଜନସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ଭାଷା , ସାହିତ୍ୟ , ସଂସ୍କୃତି ଓ ଐତିହ୍ୟ ସମୃଦ୍ଧ ଓ ରାଜ୍ୟ ସରକାର’ଙ୍କ ଆହ୍ଵାନ କ୍ରମେ ଅପ୍ରେଲ ୧ ତାରିଖ ଠାରୁ ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଛି। ମୁଖ୍ୟତଃ ଜିଲ୍ଲାର ଐତିହ୍ୟ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ସଫା କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଓଡ଼ିଶାର ଐତିହ୍ୟ ଏବଂ ସଂସ୍କୃତିର ପ୍ରତି ଗର୍ବ ସୃଷ୍ଟି କରିବା , ଜିଲ୍ଲା ଓ ରାଜ୍ୟର ସାଂସ୍କୃତିକ ଓ ବିବିଧତାକୁ ପାଳନ କରିବା , ଜିଲ୍ଲାର ସମସ୍ତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ରଖିଲେ ବହୁ ପର୍ଯ୍ୟଟକ ଏଠାକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିପାରିବେ ବୋଲି ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ ଏବଂ ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି





