ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଓଡ଼ିଆ ପକ୍ଷ -୨୦୨୬ ପାଳନ’ର ଆଜି ସପ୍ତମ ଦିନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ବାଲ-ବାଟିକା କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ମିଳିତ ସହଯୋଗରେ “ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ଉତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗା ଏବଂ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଅତିଥି ଭାବେ ଯୋଗ ଦେଇ ଭାଷା ହେଉଛି , ମାନବ ଜୀବନର ଏକ ମାଧ୍ୟମ ଯାହାଦ୍ଵାରା ଜଣ ବିଭିନ୍ନ ତତ୍ତ୍ୱକୁ ଜାଣିଥାଏ , ତେଣୁ ନିଜର ଭାଷା ଓ ସଂସ୍କୃତିକୁ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଜାତୀୟ ଶିକ୍ଷାନୀତି’ରେ ମାତୃଭାଷା’କୁ ବିଶେଷ ଗୁରୁତ୍ଵ ଦିଆଯାଇ ସର୍ବାଗ୍ରେ ରଖାଯାଇଛି । ଯେଉଁ ପିଲାକୁ ତାର ମାତୃଭାଷାରେ ଶିକ୍ଷା ଦିଆଯିବ , ତାର ବୌଦ୍ଧିକ , ଆବେଗିକ ଓ ମାନସିକ ବିକାଶ ଅତ୍ୟନ୍ତ ସୁଦୃଢ଼ ହେବ ।
ବର୍ଣ୍ଣବୋଧ’ର ମହତ୍ତ୍ଵ , ବିଶେଷତ୍ଵ ଓ ଆବଶ୍ୟକତା ଉପରେ ଅଧିକ ପ୍ରାଧାନ୍ୟ ଦେଇ କହିଥିଲେ ଯେ , ବର୍ଣ୍ଣବୋଧ ହେଉଛି ଭାଷାର ମେରୁଦଣ୍ଡ । ବୌଦ୍ଧିକ ଓ ଭାବନାତ୍ମକ ସ୍ତରରେ ନିଜ ଭାଷା ଓ ସଂସ୍କୃତିକୁ ଜାଣିବା ପାଇଁ ଯେତେ ସବୁ ଉପାଦେୟ ଲେଖା ସବୁ ରହିଛି , ତାହା ଅତ୍ୟନ୍ତ ମୂଲ୍ୟବୋଧ ଏବଂ ଜଣେ ସ୍କୁଲ ପଢୁଥିବା ପିଲାକୁ ନିହାତି ଆବଶ୍ୟକ । ଏଥିରେ ସବୁ ବିଷୟ ଉପରେ ଲିପିବଦ୍ଧ ଅଛି , ଯାହାକି ଶିଶୁ ମାନଙ୍କ ପାଇଁ ଏହା ବହୁ ଉପଯୋଗୀ। ଏମିତିକି , ଶିଶୁ ମାନେ ଯଦି ଓଡ଼ିଆ ଭାଷାର ମୂଳଦୁଆ ଗଠନ କରିବାକୁ ଚାହିଁବେ , ତାହା ହେଲେ ବର୍ଣ୍ଣବୋଧ ନିହାତି ଭାବେ ପଢ଼ିବା ଆବଶ୍ୟକ ବୋଲି କହିଥିଲେ ।

ଏହି ଅବସରରେ ମଞ୍ଚାସିନ ଅତିଥି ମାନେ ବାଲ ବାଟିକା’ର ଉପସ୍ଥିତ କୁନି କୁନି ଶିଶୁ ମାନଙ୍କୁ ପାଠ ପଢିବା ଓ ଆଗ୍ରହ ବଢାଇବା ଦିଗରେ ଉତ୍ସାହିତ କରିବା ସହ ସେମାନଙ୍କୁ ଚୋକଲେଟ ଓ ବର୍ଣ୍ଣବୋଧ ବହି ବଣ୍ଟନ କରିଥିଲେ । ଶିଶୁ ମାନଙ୍କୁ ଶିକ୍ଷୟତ୍ରୀ ମାନେ ଅଭିନୟ ମାଧ୍ୟମରେ ଗପ କାହାଣୀ କହି ବୁଝାଇଥିଲେ । ଶିଶୁ ମାନେ ମଧ୍ୟ ସେମାନଙ୍କ ସଙ୍ଗୀତ ପ୍ରତିଭାକୁ ପରିବେଷଣ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ତିରୁପତି ରାଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।





