ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଲୋଚନ ମାଝୀ ବୋଲି ଜଣାପଡ଼ିଛି। ଏନେଇ କୋକସରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ବୁଧବାର ସକାଳେ ଯୁବକ ଲୋଚନଙ୍କ ମୃତଦେହ ନିଜ ଘର ଭିତରେ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ କୋକସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ଗତ କିଛି ଦିନ ହେଲା ମାନସିକ ଚାପରେ ରହୁଥିବା ପରିବାର ଓ ପଡ଼ୋଶୀ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି। ତେବେ ମାନସିକ ଚାପରେ ଆସି ସେ’ ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।





