ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ୱେ ଏସ୍‌ଏମ୍‌ସି ଦ୍ୱାରା ଏନ୍‌ଏମ୍‌ଆର୍‌ ସଫେଇ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ନହେବାରୁ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ଅଞ୍ଚଳରେ ଦୀର୍ଘଦିନ ଧରି କାର୍ଯ୍ୟରତ ଏନ୍‌ଏମ୍‌ଆର୍‌ ସଫେଇ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ଆଦେଶ ଥିବା ସତ୍ତ୍ୱେ ମଧ୍ୟ ଏସ୍‌ଏମ୍‌ସି କର୍ତ୍ତୃପକ୍ଷ ତାହାକୁ ପାଳନ କରୁନଥିବାରୁ ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଏସ୍‌ଏମ୍‌ସି ସଫେଇ କର୍ମଚାରୀ ୟୁନିଅନ୍‌ର ସଭାପତି ପ୍ରଶାନ୍ତ ପାଢୀ ଏହି ସମ୍ବନ୍ଧରେ ଏସ୍‌ଏମ୍‌ସି ଆୟୁକ୍ତ, ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଶୀଘ୍ର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ୨୦୨୨ ମସିହାରେ କେତେକ ଏନ୍‌ଏମ୍‌ଆର୍‌ ସଫେଇ କର୍ମଚାରୀ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଆଦାଲତ ତାଙ୍କୁ ଆଠ ସପ୍ତାହ ମଧ୍ୟରେ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଦେଶର ପ୍ରତିଲିପି ଦେଇଥିବା ସତ୍ତ୍ୱେ ପ୍ରାୟ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିବାରୁ ଏହାକୁ ନ୍ୟାୟାଳୟଙ୍କ ଆଦେଶ ଅବମାନନା ବୋଲି ଶ୍ରୀ ପାଢୀ ମତ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଏସ୍‌ଏମ୍‌ସିରେ କାମ କରୁଥିବା ରେଗୁଲାର, ଏନ୍‌ଏମ୍‌ଆର୍‌, ଅସ୍ଥାୟୀ, ୱର୍କ୍‌ ଚାର୍ଜ ଓ ଠିକା ଶ୍ରମିକମାନଙ୍କର ଅନେକ ମୌଳିକ ସମସ୍ୟା ରହିଛି। ସମାନ କାମକୁ ସମାନ ଦରମା, ୱର୍କ୍‌ ଚାର୍ଜ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଦୀର୍ଘଦିନ ଧରି କାମ କରୁଥିବା ଶ୍ରମିକଙ୍କୁ ଉଚ୍ଚ କୁଶଳୀ ଶ୍ରମିକର ମାନ୍ୟତା, ସାମାଜିକ ସୁରକ୍ଷା ଯୋଜନାରେ ସାମିଲ, ସୁରକ୍ଷା ସାମଗ୍ରୀ ପ୍ରଦାନ, ଭତ୍ତା ବୃଦ୍ଧି, ଇନ୍‌କ୍ରିମେଣ୍ଟ, ମୃତକ ପରିବାର ସଦସ୍ୟଙ୍କୁ ଚାକିରି, ଶ୍ରମ ଆଇନର କଡ଼ା କଡ଼ି ପାଳନ, ସମୟୋଚିତ ଦରମା ପ୍ରଦାନ, ଋଣ ସୁବିଧା ଓ ରାତ୍ରିକାଳୀନ ଭତ୍ତା ଭଳି ଦାବିଗୁଡ଼ିକୁ ସେ ଉଲ୍ଲେଖ କରିଛନ୍ତି। ଅତଏବ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ସମ୍ମାନ ଜଣାଇ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରି ସଫେଇ କର୍ମଚାରୀମାନଙ୍କୁ ନ୍ୟାୟ ଦେବାକୁ ଶ୍ରୀ ପାଢୀ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.