ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେ ମଣିଷ ଓ ହାତୀ ଲଢେଇ ଚାଲିଛି ଗତ ୧୦ ବର୍ଷ ରୁ ଊର୍ଦ୍ଧ୍ବ ହୋଇଗଲାଣି। ଗତ ଦୁଇ ବର୍ଷ ତଳେ ବନ ଵିଭାଗ ଅଧିକାରୀ ନର୍ଲା ରେଞ୍ଜର ଶ୍ରୀ ପାଲ ହାତୀ ଆସିଥିବା ଖବର ପାଇ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଜଙ୍ଗଲ କୁ ଯାଇଥିଲେ। ହେଲେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଭଳ ନିଜ ଜମିକୁ କପା ତୋଳିବା ପାଇଁ ଯାଇଥିଲେ ବାଗପୁର ର ଜନୈକ ମହିଳା। ଗତବର୍ଷ ତାଙ୍କୁ ଦନ୍ତା ଦଳି ଦେଇଥିଲା। ପୁଣି ଗତ ମାସରେ ବାଗପୁର ରେ ଗଣ୍ଠୀ ମାଝୀ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦେଇଥିଲା। ଏଭଳି ଭାବରେ ନର୍ଲା ଅଞ୍ଚଳରେ ହାତୀ ମଣିଷ ଲଢେଇ ଚାଲିଥିବା ବେଳେ ନର୍ଲା ବ୍ଲକ ଅଧିନସ୍ଥ କୁର୍ମେଲ ଗ୍ରାମ ପଞ୍ଚାୟତର ବୁଦେଲଗୁମା ଗ୍ରାମର ବ୍ୟକ୍ତି ସୀମାଞ୍ଚଳ ନାଏକ(୪୮) ଙ୍କୁ ଗତକାଲି ରାତି ୧୦ ଘଣ୍ଟା ସମୟରେ ଏକ ଆହତ ହାତୀ ଆକ୍ରମଣ କରିଛି।
ଖବରରୁ ଜଣାପଡ଼ିଛି ଯେ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ ଗତକାଲି ରାତିରେ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଗାଁ ମୁଣ୍ଡ ରାସ୍ତା ଉପରେ ହାତୀ ହାବୁଡ଼ରେ ପଡ଼ିଗଲେ। ହାତୀ ତାଙ୍କୁ ସାଇକେଲ ସହ ଶୁଣ୍ଢରେ ଟେକି ଦୂରକୁ ଛାଟି ଦେବାରୁ ତାଙ୍କ ଅଣ୍ଟା ଓ ହାତରେ ଗଭୀର ଆଘାତ ଲାଗିଛି। ଖବର ପାଇ ନର୍ଲା ଫରେଷ୍ଟର ଭବାନୀ ଶଙ୍କର ନାଏକ ଟିମ ସହ ରାତିରେ ଘଟଣା ସ୍ଥଳରେ ପହଞ୍ଚି ସୀମଞ୍ଚଳକୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନା କୁ ନେଇ ଚିକିତ୍ସା କରାଉଥିବା ଜଣାପଡିଛି। ଆହତ ସୀମାଞ୍ଚଳ ଗ୍ରାମରକ୍ଷୀ ଭାବରେ ନର୍ଲା ଥାନା ଅଧୀନରେ କାମକରନ୍ତି।






